
କେନ୍ଦ୍ରାପଡ଼ା, ୧୪ ମଇ(ହି.ସ.) – ଅଖିଳ ଭାରତୀୟ ଗ୍ରାହକ ପଂଚାୟତ କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ତରଫରୁ ପ୍ରଧାନମନ୍ତ୍ରୀଙ୍କ(ଅର୍ଥ ବିଭାଗ) ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ହୃଦୟରେ ଯେଉଁ ଭଲ୍ବ ଲାଗୁଛି ତା’ର ପ୍ରକୃତ ମୂଲ୍ୟ ୪ ଲକ୍ଷରୁ ୮ ଲକ୍ଷ ହୋଇଥିବାବେଳେ କମ୍ପାନୀ ତାହାର ବିକ୍ରିମୂଲ୍ୟ ୨୬ ଲକ୍ଷ ଟଙ୍କା ଉଲ୍ଲେଖ କରିଛି। ବିଭିନ୍ନ କମ୍ପାନୀ ପାଇଁ ଉପଲବ୍ଧ ଥିବା ଜିନିଷଗୁଡ଼ିକ ୫ ଟଙ୍କାରୁ ୧୬ ଟଙ୍କା ଭିତରେ କିଣୁଥିବାବେଳେ ଏହାର ମୂଲ୍ୟ ଉଲ୍ଲେଖ ରହିଛି ୯୫ ଟଙ୍କାରୁ ଆରମ୍ଭ କରି ୧୩୬ ଟଙ୍କା ପର୍ଯ୍ୟନ୍ତ। ବଡ଼ ବଡ଼ ମହଲଗୁଡ଼ିକରେ ଯେଉଁ ସାମଗ୍ରୀଗୁଡିକ ମିଳୁଛି ତାହାର ମୂଲ୍ୟ ଯାହା ଉଲ୍ଲେଖ ରହୁଛି ଅନ୍ଲାଇନ୍ ମାଧ୍ୟମରେ ସେହି ଜିନିଷ ଗୁଡିକ ଅଧା ମୂଲ୍ୟରେ ଘରେ ଆସି ପହଂଚୁଛି। ଏହିଭଳି ଭାବରେ କମ୍ପାନୀ ଗୁଡିକ ସାମଗ୍ରୀର ମୂଲ୍ୟ ମନଇଚ୍ଛା ନିର୍ଦ୍ଧାରଣ କରିଥିବାବେଳେ ଏଥିପ୍ରତି ସରକାରଙ୍କର କୈାଣସି ନିୟନ୍ତ୍ରଣ ରହୁନାହିଁ। ଯାହାଫଳରେ କମ୍ପାନୀଗୁଡିକ ବେଆଇନ୍ ଭାବରେ ଖାଉଟିମାନଙ୍କ ଠାରୁ ଲୁଟ୍ କରୁଛନ୍ତି। ଅପର ପକ୍ଷରେ ଖାଉଟିମାନେ ଅଳ୍ପ ମୂଲ୍ୟର ଜିନିଷ ଗୁଡିକୁ ଅଧିକ ମୂଲ୍ୟରେ କିଣି ସର୍ବସ୍ୱାନ୍ତ ହେଉଛନ୍ତି। ତେବେ ଅଖିଳ ଭାରତୀୟ ଗ୍ରାହକ ପଂଚାୟତ କେନ୍ଦ୍ରାପଡା ଜିଲ୍ଲା ଶାଖା ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖାଉଟି ମାନଙ୍କୁ ଶୋଷଣରୁ ମୁକ୍ତ କରିବାପାଇଁ ବରିଷ୍ଠ ଆଇନ୍ଜିବୀ, ସରକାରୀ ଓକିଲ ତଥା ଜିଲ୍ଲା ସଭାପତି ଗଗନ ରାଉତ ଓ ସମ୍ପାଦକ ରମାକାନ୍ତ ସାହୁ, ସଭ୍ୟ ସୁରେନ୍ଦ୍ର ସେଠୀ, ସଂଜୟ କୁମାର ମଲ୍ଲିକ ପ୍ରମୁଖ ଜିଲ୍ଲାପାଳ ରଘୁରାମ୍.ଆର୍.ଆୟାରଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି