
ଭୁବନେଶ୍ୱର, 14 ମଇ (ହି.ସ.) ଆମେରିକା-ଇରାନ ସଂଘର୍ଷକୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ମଧ୍ୟରେ ଗୁରୁବାର ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ କିଣିବାକୁ ଲୋକମାନଙ୍କ ମଧ୍ୟରେ ଭିଡ଼ ଦେଖିବାକୁ ମିଳିଥିଲା। ସହରର ବିଭିନ୍ନ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଲାଗିଥିଲା। ତେବେ ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ପକ୍ଷରୁ ଇନ୍ଧନ ଅଭାବ ସମ୍ପର୍କିତ ସମସ୍ତ ଗୁଜବକୁ ଖଣ୍ଡନ କରାଯାଇ ଲୋକଙ୍କୁ ଗୁଜବରେ ବିଶ୍ୱାସ ନ କରିବାକୁ ଅନୁରୋଧ କରାଯାଇଛି।
ଆସୋସିଏସନର ସାଧାରଣ ସଚିବ ସଞ୍ଜୟ ଲାଠ ମାଧ୍ୟମମାନଙ୍କୁ କହିଛନ୍ତି ଯେ, ରାଜଧାନୀର ସମସ୍ତ ପ୍ରମୁଖ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି।
ସେ ସ୍ୱୀକାର କରିଛନ୍ତି ଯେ, ହଠାତ୍ ଲୋକମାନଙ୍କ ଭିଡ଼ ବଢ଼ିଯିବା ଏବଂ ଆତଙ୍କିତ ଭାବେ ଇନ୍ଧନ କିଣିବା ଫଳରେ କିଛି ପେଟ୍ରୋଲ ପମ୍ପରେ ଅସ୍ଥାୟୀ ଭାବେ ଷ୍ଟକ୍ ଶେଷ ହୋଇଯାଇଥିଲା। ସମ୍ଭାବ୍ୟ ଅଭାବ ଭୟରେ ଲୋକମାନେ ଅଧିକ ସଂଖ୍ୟାରେ ପମ୍ପକୁ ଧାଇଁଯିବାରୁ କିଛି ଆଉଟଲେଟରେ ଦ୍ରୁତ ଗତିରେ ଇନ୍ଧନ ଶେଷ ହୋଇଥିବା ସେ କହିଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଥିବା ସେ ନିଶ୍ଚିତ କରିଛନ୍ତି।
ସେ କହିଛନ୍ତି ଯେ, ଆସନ୍ତାକାଲିଠାରୁ ଇନ୍ଧନର କୌଣସି ଅଭାବ ରହିବ ନାହିଁ। ଉପଭୋକ୍ତାମାନେ ପେଟ୍ରୋଲ ଓ ଡିଜେଲ ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ।
ଲାଠ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପ୍ରତିକ ଆହ୍ୱାନ ପରେ ପେଟ୍ରୋଲ ଓ ଡିଜେଲ ବିକ୍ରିରେ ବୃଦ୍ଧି ଘଟିଛି। କିଛି ଲୋକ ଏହାକୁ ଭୁଲ ଭାବରେ ବୁଝି ସମ୍ଭାବ୍ୟ ତୈଳ ସଙ୍କଟ ଭୟରେ ଅଧିକ ପେଟ୍ରୋଲ – ଡିଜେଲ କ୍ରୟ କରିବା ଆରମ୍ଭ କରିଥିବାରୁ ଗତ ତିନି ଦିନ ମଧ୍ୟରେ ପେଟ୍ରୋଲ କ୍ରୟ ପ୍ରାୟ ୫୦ ପ୍ରତିଶତ ବଢ଼ିଯାଇଛି।
ସେ କହିଛନ୍ତି ଯେ, ଭୁବନେଶ୍ୱରର ୪୧ଟି ପେଟ୍ରୋଲ ପମ୍ପ ମଧ୍ୟରୁ କେବଳ ୩ରୁ ୪ଟି ଆଉଟଲେଟରେ ଅସ୍ଥାୟୀ ଭାବେ ଷ୍ଟକ୍ ଅଭାବ ଦେଖାଦେଇଛି। ଅତ୍ୟଧିକ ବିକ୍ରି କାରଣରୁ ଇନ୍ଧନ ପରିବହନ ଓ ପୁନଃ ଯୋଗାଣରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି।
ଲାଠ କହିଛନ୍ତି ଯେ, ରାତି ସୁଦ୍ଧା ନୂତନ ଇନ୍ଧନ ଷ୍ଟକ୍ ପହଞ୍ଚିବାର ସମ୍ଭାବନା ରହିଛି। ଭୁବନେଶ୍ୱରରେ କୌଣସି ଇନ୍ଧନ ସଙ୍କଟ କିମ୍ବା ଆତଙ୍କର ପରିସ୍ଥିତି ନଥିବା ସେ ସ୍ପଷ୍ଟ କରିଛନ୍ତି। ସେ ଲୋକମାନଙ୍କୁ ଗୁଜବରେ ବିଶ୍ୱାସ ନ କରିବା ସହ ପେଟ୍ରୋଲ ପମ୍ପରେ ଅନାବଶ୍ୟକ ଭିଡ଼ ନ କରିବାକୁ ଅନୁରୋଧ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ