



ସମ୍ବଲପୁର,୧୪, ମେ (ହି.ସ.) ସମ୍ବଲପୁର ସହରର ଭବିଷ୍ୟତ ଅଭିବୃଦ୍ଧି ଏବଂ ସ୍ଥାୟୀ ନଗର ଉନ୍ନୟନକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ “ନୂତନ ସମ୍ବଲପୁର” ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆହୁତ ବୈଠକରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ‘ନୂତନ ସମ୍ବଲପୁର’ ଗଠନ ପାଇଁ ଆବଶ୍ୟକୀୟ ଯୋଜନା ଓ ରଣନୀତି ଉପରେ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିଥିଲେ। ସମନ୍ୱିତ ଭିତ୍ତିଭୂମି ବିକାଶ ଏବଂ ପ୍ରଭାବଶାଳୀ ଜମି ପରିଚାଳନା ମାଧ୍ୟମରେ ସହରର ସୁନିୟନ୍ତ୍ରିତ ସମ୍ପ୍ରସାରଣ ଉପରେ ଏହି ପ୍ରେଜେଣ୍ଟେସନରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା।
ବୈଠକରେ ମୁଖ୍ୟତଃ ସହରର ବିକାଶ ପାଇଁ ଏକାଧିକ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା, ଯଥା: ସମୃଦ୍ଧ ସହର ଯୋଜନା ଏବଂ ଟାଉନ୍ ପ୍ଲାନିଂ ସ୍କିମ୍ର କାର୍ଯ୍ୟକାରିତା, ଜମି ପୁନର୍ଗଠନ ଏବଂ ବ୍ଲକ ବିଭାଜନ, ସହର ସ୍ତରୀୟ ଭିତ୍ତିଭୂମି, ଜନସାଧାରଣଙ୍କ ସମ୍ପତ୍ତିର ବିକାଶ ଏବଂ ଡ୍ରେନେଜ୍ ବ୍ୟବସ୍ଥା, ସୁଦୃଢ଼ ରୋଡ୍ ନେଟୱାର୍କ ଏବଂ ୟୁଟିଲିଟି ପ୍ଲାନିଂ, ଗାନ୍ଧୀନଗରର ସୁନିୟନ୍ତ୍ରିତ ବିକାଶକୁ ଏକ ‘କେସ୍ ଷ୍ଟଡି’ ଭାବେ ଗ୍ରହଣ କରି ସମ୍ବଲପୁରରେ ଏହାର ପ୍ରୟୋଗ। ଏହି ବୈଠକରେ ଜିଲ୍ଲାପାଳ ଅଞ୍ଚଳ ଚୟନ ଠାରୁ ଆରମ୍ଭ କରି ମାଇକ୍ରୋ ଓ ମ୍ୟାକ୍ରୋ ସ୍ତରୀୟ ଯୋଜନା ପ୍ରସ୍ତୁତିରେ ସମ୍ବଲପୁର ଉପ-ଜିଲ୍ଲାପାଳ, ତହସିଲଦାର ଏବଂ ସମ୍ବଲପୁର ମହାନଗର ନିଗମର ଅଧିକାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ। ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲପାଳ ଆଉ ଏକ ବିଶେଷଜ୍ଞ ଟେକ୍ନୋ-ମ୍ୟାନେଜେରିଆଲ୍ ଟିମ୍ , ସହିତ ଆଉ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ ଯାହାର ସଭ୍ୟ ଆବାହକ ଭାବେ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟ କରିବ, ପ୍ରତ୍ୟେକ କାର୍ଯ୍ୟ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ପିଢ଼ି ପାଇଁ ସମ୍ବଲପୁରକୁ ଏକ ସୁସଜ୍ଜିତ, ସ୍ଥାୟୀ ଏବଂ ଭବିଷ୍ୟତ-ଉପଯୋଗୀ ସହର ଭାବେ ଗଢ଼ି ତୋଳିବା ଏହି ମେଗା ପ୍ରକଳ୍ପର ମୂଳ ଲକ୍ଷ୍ୟ ରହିଛି ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ