
କେନ୍ଦ୍ରାପଡ଼ା, ୧୪ ମଇ(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତରେ ବିଭିନ୍ନ ସ୍ଥାନରେ ଅନେକ ଗୁଡିଏ ସରକାରୀ ଜମି ଥିବାବେଳେ ବାଲିଆ ବଜାର ପାଖରେ ଥିବା ହାଇସ୍କୁଲ୍ ପରିସରରେ ବିନା ଅନୁମତିରେ ଗ୍ରାମାଂଚଳ ହାଟ ନିର୍ମାଣକୁ କେତେକ ଗ୍ରାମବାସୀ ବିରୋଧ କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ବିଷୟରେ ହାଇସ୍କୁଲର ପ୍ରଧାନ ଶିକ୍ଷକ କିମ୍ବା ସ୍କୁଲ୍ କମିଟି କେହି ଅନୁମତି ଦେଇନଥିବାବେଳେ କିଭଳି ଭାବରେ ହାଇସ୍କୁଲ୍ ପରିସରରେ ଗ୍ରାମୀଣ ହାଟ ଗୃହ ନିର୍ମାଣ କରାଯାଉଛି ତାହା ଆଶ୍ଚର୍ଯ୍ୟର ବିଷୟ ପାଲଟିଛି। ହାଇସ୍କୁଲର ପ୍ରଧାନ ଶିକ୍ଷକ ଏ ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କାମ ଚାଲୁ ରହିଛି। ଏ ନେଇ ସ୍ଥାନୀୟ ଅଂଚଳର ବାସିନ୍ଦା ଜିଲ୍ଲାପାଳଙ୍କୁ ଭେଟି ବେଆଇନ୍ ଭାବରେ ପଂଚାୟତ ତରଫରୁ ନିର୍ମାଣ ହେଉଥିବା ହାଇସ୍କୁଲ୍ ପରିସରରେ ଗ୍ରାମୀଣ ହାଟଗୃହକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ସରପଂଚ ଧରଣୀଧର ଦାସ, ଜିତେନ୍ଦ୍ର ପ୍ରସାଦ ପାଗଳ, ମଦନ ମୋହନ ବେହେରା, ନଗେନ୍ଦ୍ର ରାଉତ, ବସନ୍ତ କୁମାର ଜେନା, ପ୍ରଶାନ୍ତ କୁମାର ଦାସ, ବିଭୁତି ଭୂଷଣ ପତି, ନାରାୟଣ ସ୍ୱାଇଁ ନିଗମ ମହାନ୍ତି, ଧୀରେନ୍ ବେହେରା, ପ୍ରମୋଦ କୁମାର ସାହୁ ଅକ୍ଷୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରି ତୁରନ୍ତ ବେଆଇନ୍ ଭାବରେ ନିର୍ମାଣ ହେଉଥିବା ଗୃହକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି