
ଜୟପୁର, ୧୪ ମଇ (ହି.ସ.)-କୋଟିଆ ତେନ୍ତୁଳି ଉପରେ ଆନ୍ଧ୍ରର ଭରସା l ଯାଉଛି ଓଡ଼ିଶା ତେନ୍ତୁଳି । କୋରାପୁଟ ଜିଲ୍ଲା କୋଟିଆରେ ତେନ୍ତୁଳି ଚାଷୀଙ୍କୁ
ମିଳୁନି ଉଚିତ ପ୍ରାପ୍ୟ । ବଜାର ବ୍ୟବସ୍ଥା ନଥିବାରୁ ଶାଗ ମାଛ ଦରରେ କରୁଛନ୍ତି ବ୍ରିକି । ଫାଇଦା ନେଉଛନ୍ତି ଆନ୍ଧ୍ର ବେପାରୀ । କୋଟିଆ ପଞ୍ଚାୟତର ଅଧିକାଂଶ ସୀମାନ୍ତ ଗାଁ ଗୁଡିକରେ ପ୍ରଚୁର ମାତ୍ରାରେ ତେନ୍ତୁଳି ଅମଳ ହୋଇଥାଏ । ଅମଳ ତେନ୍ତୁଳିକୁ ୪୦ କି.ମି. ଦୂର ପଟ୍ଟାଙ୍ଗି କୁନ୍ଦୁଲି
ହାଟପଦାକୁ ଆଣି ବିକ୍ରି କରିବାକୁ ପଡ଼ିଥାଏ । ଅଧିକାଂଶ ଟଙ୍କା ଗାଡ଼ି ଭଡ଼ାରେ ଚାଲିଯାଉଥିବାରୁ ଏହାର ଫାଇଦା ନେଉଛନ୍ତି ଆନ୍ଧ୍ର ବେପାରୀ ।
ଗାଁ ଗୁଡ଼ିକରେ ଅନୁପ୍ରବେଶ କରି ଶାଗମାଛ ଦରରେ ତେନ୍ତୁଳି କିଣି ଅଧିକ ଦରରେ ଆନ୍ଧ୍ରରେ ବିକ୍ରି କରୁଥିବା ଜଣାପଡ଼ିଛି । ଜଙ୍ଗଲ ପାହାଡ଼ ଘେରା କୋଟିଆ । ଜଙ୍ଗଲ ଜାତ ଦ୍ରବ୍ୟର ଉତ୍ପାଦନ ତୁଳନାରେ ଏଠାରେ କିଣାବିକା କମ । ଚାଷୀ ଗଛ ଜଗିବା ସହ ତେନ୍ତୁଳି ତୋଳି ଚୋପା ଛଡେଇ ମଞ୍ଜି କାଢ଼ି ଶୁଖାଇ ବିକ୍ରି ପାଇଁ ପ୍ରସ୍ତୁତ କରିଥାଏ । ହେଲେ କିଣିବାକୁ ଓଡିଶା ବେପାରୀ
କେହି ନାହାନ୍ତି । ସରକାର ତେନ୍ତୁଳି ସଂରକ୍ଷଣ ଓ କିଣିବାର ବ୍ୟବସ୍ଥା କଲେ କୋଟିଆବାସୀ ଉଚିତ ମୂଲ୍ୟରେ ତେନ୍ତୁଳି ବିକ୍ରି କରିବା ସହ ସେମାନଙ୍କ ଆର୍ଥିକ
ସ୍ଥିତି ମଧ୍ୟ ସୁଦୃଢ ହୋଇପାରନ୍ତା ବୋଲି ଅଞ୍ଚଳ ବାସୀ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି