
ଭୁବନେଶ୍ୱର, ୧୪ ମଇ (ହି.ସ.)- ବିସ୍ଥାପିତ ଓ ଆଦିବାସୀଙ୍କ ଜଳ ଜମି ଜଙ୍ଗଲ ସୁରକ୍ଷା ପାଇଁ କଂଗ୍ରେସ ପକ୍ଷରୁ ମଇ ୬ ତାରିଖରୁ ଢ଼ିଙ୍କିଆରୁ ଆରମ୍ଭ ହୋଇଥିବା ଗାନ୍ଧିପଥେ ନ୍ୟାୟ ପଦଯାତ୍ରା ଗୁରୁବାର ଭୁବନେଶ୍ୱର ପହଂଚି ଲୋୟର ପିଏମଜି ଛକରେ ଏକ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଥିଲା ।ଏହି ବିଶାଳ ଗଣଧାରଣାରେ ହଜାର ହଜାର ବିସ୍ଥାପିତଙ୍କ ସମେତ ପ୍ରଦେଶ କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମକର୍ତାବୃନ୍ଦ ଯୋଗ ଦେଇଥିଲେ ।
ଏହି ଧାରଣାରେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ, ଶିଳ୍ପାନୁଷ୍ଠାନ ମାନଙ୍କ ଅମାନବୀୟ ଅତ୍ୟାଚାର ଓ ସରକାରଙ୍କ ନିରବତାକୁ ନେଇ ଘୋର ସମାଲୋଚନା କରିଥିଲେ । କଂଗ୍ରେସ କ୍ଷମତାକୁ ଆସିଲେ ଜମି ହରାଇଥିବା ପ୍ରତ୍ୟେକ ବିସ୍ଥାପିତଙ୍କୁ ଶିଳ୍ପାନୁଷ୍ଠାନର ସେୟାର ହୋଲଡର କରିବୁ ବୋଲି ଶ୍ରୀ ଦାସ ଦୃଢୋକ୍ତି ପ୍ରକାଶ କରିଥିଲେ।ପୁଣି କହିଥିଲେ ଯେ, ବିସ୍ଥାପନ ଗ୍ରାମସଭା ମାଧ୍ୟମରେ ଆଇନ ଅନୁଯାୟୀ ହେବା ଉଚିତ ଏବଂ ବିସ୍ଥାପିତଙ୍କୁ ଉପଯୁକ୍ତ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ରାଜ୍ୟର ସମସ୍ତ ବିସ୍ଥାପିତଙ୍କ ସ୍ୱାର୍ଥ ଏବଂ ସୁରକ୍ଷା ପାଇଁ ଲଢେଇ ଏମିତି ରାଜରାସ୍ତାରେ ଚାଲୁ ରହିବ।
ପିସିସି ସଭାପତି ତଥା ସଂଗଠନ ପ୍ରଭାରୀ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିବା ଧାରଣା ମଂଚରେ ଉପସ୍ଥିତ ଥିବା ନେତୃ ମଣ୍ଡଳୀ ରାଜ୍ୟ ପ୍ରଭାରୀ ଅଜୟ ଲାଲ୍ଲୁ, ସହ ପ୍ରଭାରୀ ଜେଟି କୁସୁମ କୁମାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପଦଯାତ୍ରା ଅଧ୍ୟକ୍ଷ ସୁରେଶ ରାଉତରାୟ, ସାଂସଦ ସପ୍ତଗିରି ଉଲାକା, ବିଧାୟକ ତାରା ପ୍ରସାଦ ବାହିନୀପତି, ଅଶୋକ ଦାସ, ସିଏସ ରାଜେନ ଏକ୍କା, ମଙ୍ଗୁ ଖିଲ, ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ,ପୂର୍ବତନ ସାଂସଦ ଅନନ୍ତ ସେଠୀ, ଆଇଏନଟିୟୁସି ଅଧ୍ୟକ୍ଷ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ସାଂସଦ ତଥା ଅନୁସୂଚିତ ଜାତି ଅଧ୍ୟକ୍ଷ ଯୋଶବନ୍ତ ସିଂ ଲାଗୁରୀ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ଡଃ ଲଲାଟେନ୍ଦୁ ମହାପାତ୍ର, ପିସିସି ଉପସଭାପତି ସସ୍ମିତା ବେହେରା, ମହିଳା କଂଗ୍ରେସ ଅଧ୍ୟକ୍ଷା ମିନାକ୍ଷୀ ବାହିନୀପତି, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଆଦି ସମସ୍ତ ବକ୍ତାଗଣ ନିଜ ବକ୍ତବ୍ୟରେ ସରକାରଙ୍କ ବିସ୍ଥାପନ ନୀତି ଉପରେ ଆଭିମୁଖ୍ୟକୁ କଠୋର ସମାଲୋଚନା କରିବା ସହ ବିସ୍ଥାପିତଙ୍କ ସହିତ କଂଗ୍ରେସର ପ୍ରତିବଦ୍ଧତା ଘୋଷଣା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା