ବୌଦ୍ଧ ଜିଲ୍ଲାରେ ୧୧ତମ କୃଷି ଜନଗଣନା ତଥ୍ୟ ମଞ୍ଜୁରୀ ପାଇଁ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ
କୃଷି କ୍ଷେତ୍ରରେ ଆଧୁନିକୀକରଣ ଓ ଜଳସେଚନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି
କୃଷି କ୍ଷେତ୍ରରେ ଆଧୁନିକୀକରଣ ଓ ଜଳସେଚନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ।


ବୌଦ୍ଧ ୧୪ ମେ (ହି.ସ.) - ବୌଦ୍ଧ ଜିଲ୍ଲାରେ ୨୦୨୨-୨୩ ମସିହା ପାଇଁ ହୋଇଥିବା ୧୧ତମ ପଂଚବାର୍ଷିକ କୃଷି ଜନଗଣନାର ତୃତୀୟ ପର୍ଯ୍ୟାୟର ବିଶ୍ଳେଷଣାତ୍ମକ ତଥ୍ୟ ମଞ୍ଜୁରୀ ପାଇଁ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନି କକ୍ଷରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା , ପ୍ଲାନିଂ ତଥା ପରିସଂଖ୍ୟାନ ଉପ ନିର୍ଦ୍ଦେଶକ ପ୍ରସନ୍ନ କୁମାର କର୍ଣ୍ଣ , ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ଯୋଗେନ୍ଦ୍ର ନାଥ ମହାପାତ୍ର , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ସି ଇ ଓ- ଡି ସି ସି ବି , କୃଷି ଅଧିକାରୀ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଶ୍ରୀ କର୍ଣ୍ଣ ଉପସ୍ଥାପନ କରିଥିବା ସମୀକ୍ଷାରୁ ଜଣା ଗଲାଯେ, ନୂତନ କୃଷି ଜନଗଣନା ଅନୁସାରେ ଜିଲ୍ଲାର କୃଷି କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ଆଧୁନିକୀକରଣ, ଜଳସେଚନ ବ୍ୟବସ୍ଥା ଓ କୃଷିଋଣ ପ୍ରାପ୍ତିରେ ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହୋଇଛି । ୨୦୧୬-୧୭ ମସିହାରେ ଚାଷ କରୁଥିବା ଜମି ପରିମାଣ ୭୨,୯୧୪ ରୁ ବୃଦ୍ଧି ପାଇ ୨୦୨୨-୨୩ ରେ ୮୮,୭୯୬ ହେକ୍ଟର ରେ ପହଂଚିଛି । ଏହା କୃଷକମାନଙ୍କର କୃଷି କାର୍ଯ୍ୟରେ ବୃଦ୍ଧିଶୀଳ ଅଂଶଗ୍ରହଣକୁ ସୂଚିତ କରୁଛି । ଜଳସେଚନ କ୍ଷେତ୍ରରେ ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଜଳସେଚିତ ଜମି ୨୦୧୬-୧୭ ରେ ୧୭,୨୧୦ ହେକ୍ଟରରୁ ବୃଦ୍ଧି ପାଇ ୨୮,୯୦୯ ହେକ୍ଟରକୁ ପହଂଚିଥିବା ବେଳେ ମୋଟ ଜଳସେଚିତ ଅଂଚଳ ଦୁଇଗୁଣାରୁ ଅଧିକ ବୃଦ୍ଧି ପାଇ ୩୯,୨୭୨ ହେକ୍ଟରରେ ପହଂଚିଛି । ଏହା କୃଷି ଭିତିଭୂମିର ଉନ୍ନତି ଓ ବର୍ଷା ଉପରେ ନିର୍ଭରଶୀଳତା କମିଥିବା ସୂଚାଉଛି । କୃଷି ଆଧୁନିକୀକରଣରେ ରାସାୟନିକ ସାର ଓ ଉଚ୍ଚ ଉତ୍ପାଦନକାରୀ ହାଇବ୍ରିଡ ବିହନ ବ୍ୟବହାରରେ ବୃଦ୍ଧି ହୋଇଛି। ହାଇବ୍ରିଡ ବିହନ ବ୍ୟବହାରକାରୀ ଚାଷୀଙ୍କ ସଂଖ୍ୟା ୫,୭୪୭ ରୁ ବୃଦ୍ଧି ପାଇ ୮୪,୪୪୫ କୁ ପହଂଚିଛି । ସେହିପରି ପ୍ରତିଷ୍ଠାନମୂଳକ କୃଷି ଋଣ ଓ ବ୍ୟାଙ୍କ ଋଣ ପ୍ରାପ୍ତିରେ ମଧ୍ୟ ବ୍ୟାପକ ବୃଦ୍ଧି ହୋଇ ୮୨୩ ଲକ୍ଷରୁ ୭୮୧୭ ଲକ୍ଷ ଟଙ୍କା ହୋଇଛି । ରାସାୟନିକ ସାର ବ୍ୟବହାର ୫୯୪୨୩ ରୁ ବୃଦ୍ଧିପାଇ ୭୩୩୨୪ ହେକ୍ଟର ରେ ପହଂଚିଛି । ୭୭୨୫୨ ଜଣ ଚାଷୀ କୀଟ ନିୟନ୍ତ୍ରଣ ପାଇଁ ରାସାୟନିକ କୀଟ ନାଶକ ବ୍ୟବହାର କରିଛନ୍ତି । ଏଥିରୁ କୃଷକମାନଙ୍କ ଆର୍ôଥକ ସଶକ୍ତିକରଣ ସ୍ପଷ୍ଟ ହୋଇଛି । ଅନ୍ୟପଟେ ଜୈବ ସାର ବ୍ୟବହାରରେ ହ୍ରାସ ଏବଂ ମୃତିକା ପରୀକ୍ଷା ପ୍ରତି କୃଷକଙ୍କ ଆଗ୍ରହ କମ୍ ଥିବା ଚିନ୍ତାର ବିଷୟ ହୋଇଛି । ତେଣୁ ଦୀର୍ଘମିଆଦି କୃଷି ସ୍ଥାୟୀତ୍ୱ ପାଇଁ ସମନ୍ୱିତ ପୋଷକ ପରିଚାଳନା ଓ ବୈଜ୍ଞାନିକ ମୃତିକା ସ୍ୱାସ୍ଥ୍ୟ ଅଭିଯାନକୁ ଆହୁରି ଜୋରଦାର କରିବା ଆବଶ୍ୟକ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲାର କୃଷି କ୍ଷେତ୍ରରେ ହେଉଥିବା ଏହି ପରିବର୍ତନ ଭବିଷ୍ୟତରେ ଅଧିକ ଉତ୍ପାଦନଶୀଳ, ସୁସଂଗଠିତ ଓ ସ୍ଥାୟୀ କୃଷି ବ୍ୟବସ୍ଥା ପାଇଁ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande