ବୀମା ଟଙ୍କା ହଡପ ପାଇଁ ନକଲି ଚୋରି ନାଟକ, ଦୁଇ ଗିରଫ
ବୀମା ଟଙ୍କା ହଡପ ପାଇଁ ନକଲି ଚୋରି ନାଟକ, ଦୁଇ ଗିରଫ
ବୀମା ଟଙ୍କା ହଡପ ପାଇଁ ନକଲି ଚୋରି ନାଟକ, ଦୁଇ ଗିରଫ


ସମ୍ବଲପୁର,୧୫, ମେ (ହି.ସ.)

ସମ୍ବଲପୁର ସଦର ଥାନା ପୋଲିସ ଏକ ନକଲି ଚୋରି ଓ ବୀମା ଠକେଇ ମାମଲାର ପର୍ଦ୍ଦାଫାଶ କରି ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ବୀମା ଟଙ୍କା ହାସଲ ପାଇଁ ଷଡଯନ୍ତ୍ର କରି ନକଲି ଦଲିଲ ପ୍ରସ୍ତୁତ କରିବା ସହ ଚୋରି ନାଟକ ରଚିଥିବା ପୋଲିସ ତଦନ୍ତରୁ ଜଣାପଡିଛି।

ସୂଚନା ଅନୁଯାୟୀ, ସଦର ଥାନା କେସ୍ ନଂ ୧୨୦ ତାରିଖ ୧୩.୦୪.୨୦୨୬ରେ ପ୍ରଥମେ ଧାରା ୩୩୧(୪)/୩୦୫(ଏ) ବିଏନଏସ ଅନୁସାରେ ମାମଲା ରୁଜୁ ହୋଇଥିଲା। ପରେ ତଦନ୍ତକାଳୀନ ଏହାକୁ ଧାରା ୨୪୦/୨୨୮/୩୩୬(୧)/୩୩୬(୨)/୩୩୬(୩)/୩୩୮/୩୪୦/୩(୫) ବିଏନଏସରେ ପରିବର୍ତ୍ତନ କରାଯାଇଛି।

ଅଭିଯୋଗ ଅନୁସାରେ, ଥେମ୍ରା ଗ୍ରାମର କନିଷ୍ଠ ବରିକ ୧୩ ଏପ୍ରିଲ ୨୦୨୬ରେ ସଦର ଥାନାରେ ଲିଖିତ ଏତଲା ଦେଇ କହିଥିଲେ ଯେ, ୯/୧୦ ଏପ୍ରିଲ ରାତିରେ ଗମ୍ଭାରକଟା ସ୍ଥିତ ତାଙ୍କ ଗୋଦାମରୁ ୧୫ କାର୍ଟୁନ ତମ୍ବା ତାର ଓ ୧୨୦ କାର୍ଟୁନ ବିଦ୍ୟୁତ ପଖା ଚୋରି ହୋଇଯାଇଛି। ଚୋରି ସାମଗ୍ରୀର ମୂଲ୍ୟ ୨୬ ଲକ୍ଷ ଟଙ୍କାରୁ ଅଧିକ ବୋଲି ସେ ଦାବି କରିଥିଲେ। ସେହିପରି ଗୋଦାମର ସିସିଟିଭି ସିଷ୍ଟମକୁ ଚୋରମାନେ ବିଚ୍ଛିନ୍ନ କରିଦେଇଥିବା ମଧ୍ୟ ଅଭିଯୋଗ କରିଥିଲେ।

ତଦନ୍ତ ସମୟରେ ପୋଲିସ ସିସିଟିଭି ଯାଞ୍ଚ, ଟାୱାର ଡମ୍ପ, ସିଡିଆର ବିଶ୍ଳେଷଣ ସହ ବିଭିନ୍ନ ପ୍ରମାଣ ସଂଗ୍ରହ କରିଥିଲା। ଘଟଣାସ୍ଥଳରୁ ଦୁଇଟି କଟା ତାଲା ଜବତ କରାଯାଇଥିଲା। କ୍ରୟ ବିଲ, ଇନଭଏସ ବୁକ, ଜିଏସଟି ଓ ବୀମା ଦଲିଲ ଯାଞ୍ଚ ବେଳେ ବହୁ ଅସଙ୍ଗତି ଧରାପଡିଥିଲା। ଅଭିଯୁକ୍ତମାନେ ଦାବି କରିଥିବା ସାମଗ୍ରୀ ସମ୍ବନ୍ଧୀୟ ବୈଧ ରେକର୍ଡ ଦେଖାଇ ପାରିନଥିଲେ।

ପୋଲିସ ତଦନ୍ତରୁ ଜଣାପଡିଛି ଯେ, କନିଷ୍ଠ ବରିକ ଓ ତାଙ୍କ ସହଯୋଗୀ ମଣ୍ଟୁ ଅର୍ଥାତ ଚତୁର୍ଭୁଜ ପ୍ରଧାନ ବୀମା ଦାବି ଟଙ୍କା ପାଇଁ ନକଲି ଚୋରି ନାଟକ ରଚିଥିଲେ। ଏଥିପାଇଁ ନକଲି ଇନଭଏସ ଓ ବ୍ୟବସାୟିକ ଦଲିଲ ପ୍ରସ୍ତୁତ କରାଯାଇଥିଲା। ଚୋରିର ମିଥ୍ୟା ପ୍ରମାଣ ସୃଷ୍ଟି କରିବାକୁ ଗ୍ୟାସ କଟର ସାହାଯ୍ୟରେ ତାଲା କାଟାଯାଇଥିବା ଏବଂ ପ୍ରମାଣ ନଷ୍ଟ କରିବାକୁ ସିସିଟିଭି ଡିଭିଆର ଧ୍ୱଂସ କରାଯାଇଥିବା ଜଣାପଡିଛି।

ପୋଲିସ ଘଟଣାରେ ବ୍ୟବହୃତ ଦୁଇଟି କଟା ତାଲା, ୬୮ଟି କ୍ରୟ ବିଲ, ଭଡା ଚୁକ୍ତିପତ୍ର, ଟ୍ୟାକ୍ସ ଇନଭଏସ ବୁକ, ଜିଏସଟି ସାର୍ଟିଫିକେଟ ଓ ଆଇସିଆଇସିଆଇ ଲୋମ୍ବାର୍ଡ ବୀମା ପଲିସି ସମ୍ବନ୍ଧୀୟ ଦଲିଲ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଥେମ୍ରାର କନିଷ୍ଠ ବରିକ ଓ କୈଁସିର ଗ୍ରାମର ମଣ୍ଟୁ ଅର୍ଥାତ ଚତୁର୍ଭୁଜ ପ୍ରଧାନ। ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande