
ଚମ୍ପୁଆ, ୧୫ ମଇ(ହି.ସ.) – କେନ୍ଦୁଝର ଜିଲ୍ଲାର ଖଣି ଅଂଚଳରେ ଦିନକୁ ଦିନ ଦୁର୍ଘଟଣାମାନ ବୃଦ୍ଧି ପାଉଥିବାବେଳେ ଚମ୍ପୁଆ ଉପଖଣ୍ଡସ୍ଥ ଯୋଡ଼ା, ବଡ଼ବିଲ ଅଂଚଳରେ ଏହା ଅଧିକ ମାତ୍ରାରେ ଘଟୁଥିବା ଦେଖିବାକୁ ମିଳୁଛି। ଏହି ଅଂଚଳରେ ପ୍ରାୟ ସମୟରେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଥିବାବେଳେ କିଛି ଟ୍ରକ ଡ୍ରାଇଭର ଅଧିକ ଟ୍ରିପ କରିବା ଆଶାରେ ଦ୍ରୁତଗତିରେ ଗାଡ଼ିଚାଳନା କରୁଥିବା ଯୋଗୁଁ ଦୁର୍ଘଟଣା ଘଟୁଥିବା କୁହାଯାଉଛି। କିଛି ଅମାନିଆ ଡ଼୍ରାଇଭରମାନଙ୍କ ପାଇଁ ଅନ୍ୟ ଡ଼୍ରାଇଭରମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେବେ ୫୨୦ ନମ୍ବର ଜାତୀୟ ରାଜପଥରେ ପ୍ରାୟ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଥିବାରୁ ସଧାରଣ ଲୋକେ ରାସ୍ତାରେ ଯିବାକୁ ମଧ୍ୟ ଭୟ କଲେଣି। ସେହିପରି ଆଜି ୫୨୦ ନମ୍ବର ଜାତୀୟ ରାଜପଥର ଦୁର୍ଘଟଣାର ଲାଇଫ ଲାଇନ୍ କୁହାଯାଉଥିବା କାଶିଆ ବିଆର୍ପିଏଲ୍ ନିକଟରେ ଦେଖିବାକୁ ମିଳିଛି ସିରିଜ ଦୁର୍ଘଟଣା। ତିନୋଟି ହାଇୱା ସହ ଗୋଟିଏ ଟ୍ରଲର ମୁହାଁ ମୁହିଁ ଧକ୍କା ହୋଇଥିବାବେଳେ ଦୁଇ ଚାଳକ ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ଚାଳକଙ୍କୁ ଉଦ୍ଧାର କରି ଗୁରୁତର ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta