ମରଣଯନ୍ତା ପାଲଟିଛି ଚମ୍ପୁଆ - ରିମୁଳି ୨୦ ନମ୍ବର ଜାତୀୟ ରାଜପଥ
ଚମ୍ପୁଆ, ୧୫ ମଇ (ହି.ସ.)- ରତ୍ନଗର୍ଭା କେନ୍ଦୁଝର ଜିଲ୍ଲା ଓଡ଼ିଶା ରାଜ୍ୟ ରାଜକୋଷର ମେରୁଦଣ୍ଡ କୁହାଯାଉ ଥିବାବେଳେ ଏହି ଜିଲ୍ଲାରେ ବସବାସ କରୁଥିବା ଲୋକ ମାନଙ୍କୁ ମୌଳିକ ସୁବିଧା ଟିକେ ମଧ୍ୟ ମିଳି ପାରୁ ନଥିବା ଦେଖିବାକୁ ମିଳୁଛି। ସରକାରଙ୍କ ଯୋଜନା ଉପରେ ଯୋଜନା ରାସ୍ତା କଡରେ ଥିବା ହୋଡ଼ିଂ ଓ ବ୍ୟା
ମରଣଯନ୍ତା ପାଲଟିଛି ଚମ୍ପୁଆ - ରିମୁଳି ୨୦ ନମ୍ବର ଜାତୀୟ ରାଜପଥ


ଚମ୍ପୁଆ, ୧୫ ମଇ (ହି.ସ.)- ରତ୍ନଗର୍ଭା କେନ୍ଦୁଝର ଜିଲ୍ଲା ଓଡ଼ିଶା ରାଜ୍ୟ ରାଜକୋଷର ମେରୁଦଣ୍ଡ କୁହାଯାଉ ଥିବାବେଳେ ଏହି ଜିଲ୍ଲାରେ ବସବାସ କରୁଥିବା ଲୋକ ମାନଙ୍କୁ ମୌଳିକ ସୁବିଧା ଟିକେ ମଧ୍ୟ ମିଳି ପାରୁ ନଥିବା ଦେଖିବାକୁ ମିଳୁଛି। ସରକାରଙ୍କ ଯୋଜନା ଉପରେ ଯୋଜନା ରାସ୍ତା କଡରେ ଥିବା ହୋଡ଼ିଂ ଓ ବ୍ୟାନର ଭିତରେ ରହି କେନ୍ଦୁଝରବାସୀଙ୍କୁ ଉପହାସ କରୁଛି। ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଚମ୍ପୁଆ। ଚମ୍ପୁଆ ଉପଖଣ୍ଡ ଏକ ଖଣି ଅଞ୍ଚଳ ହୋଇଥିବା ବେଳେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଧାୟକ ମଧ୍ୟ ଜଣେ ବାହୁବଳୀ ବିଧାୟକ ଭାବେ ସାରା ଓଡ଼ିଶାରେ ପରିଚିତ। ତଥାପି ଟିକିଏ ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି ଚମ୍ପୁଆ ବାସୀ। ଏଠି ସକାଳ ପାହିଲେ ମରଣକୁ ଆମନ୍ତ୍ରଣ କରେ ୨୦ ନମ୍ବର ଜାତୀୟ ରାଜପଥ। ଚମ୍ପୁଆ - ରିମୁଳି ୨୦ ନମ୍ବର ଜାତୀୟ ରାଜପଥ ଚମ୍ପୁଆ ଠାରୁ ରଜିଆ ପର୍ଯ୍ୟନ୍ତ ସାତ କି. ମି. ରାସ୍ତା ଦୀର୍ଘ ଦିନରୁ ଠାଏଁ ଠାଏଁ ଭାଙ୍ଗି ମରଣ ଯନ୍ତା ପାଲଟିଥିଲେ ବି ଏଥିପ୍ରତି ନା ଅଛି ବିଭାଗୀୟ ନଜର, ନା ଅଛି ପ୍ରଶାସନର ନଜର, ନା ଅଛି ସ୍ଥାନୀୟ ନେତା, ରାଜନେତାଙ୍କ ନଜର। ଏହି ଜାତୀୟ ରାଜପଥ ଦେଇ ଦୈନିକ ହଜାର ହଜାର ଲୌହ ବୋଝେଇ ଟ୍ରକ, ଟ୍ରଲର ଆଦି ବଡ଼ ବଡ଼ ଭାରୀଯାନ ଯିବା ଆସିବା କରିଥାଏ। ଚମ୍ପୁଆ ଉପଜିଲ୍ଲାପାଳଙ୍କ ଠାରୁ ନେଇ ସମସ୍ତ ବଡ଼ ବଡ଼ିଆ ଅଧିକାରୀ ଏହି ରାସ୍ତାରେ ଦୈନିକ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟକୁ ଯିବା ଆସିବା କରିଥାନ୍ତି। ଚମ୍ପୁଆ ବଜାରର ଜନ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସକାଳ ସାତ ଟାରୁ ଦିନ ଏଗାର ଏବଂ ଅପରାହ୍ନ ତିନିଟାରୁ ରାତି ନଅ ଟା ପର୍ଯ୍ୟନ୍ତ ନୋ ଏଣ୍ଟ୍ରି ଲାଗୁ କରାଯାଇଛି। ତେବେ ନୋ ଏଣ୍ଟ୍ରି ଲାଗୁ କରି ଦେଇ ପ୍ରଶାସନ ନିଜର ଦାୟିତ୍ୱ ସାରି ଦେଇଥିବା ବେଳେ ଦୀର୍ଘ ଦିନରୁ ଭାଙ୍ଗି ଖାଲ ଖମାରେ ଭରି ମରଣଯନ୍ତା ପାଲଟିଥିବା ଏହି ରାସ୍ତା ମରାମତି ପ୍ରତି କାହାରି ନଜର ପଡ଼ୁ ନାହିଁ। ଫଳରେ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାର ନଜିର ରହିଛି। ସାଧାରଣ ଲୋକ ସାଇକେଲ ମୋଟର ସାଇକେଲରେ ଯିବା ଆସିବା କରିବା ସମୟରେ ପ୍ରତି ମୁହୂର୍ତ୍ତରେ ବିପଦକୁ ସାମ୍ନା କରୁଛନ୍ତି। ଏହି ଜାତୀୟ ରାଜପଥ ଚାରି ଥାକ ରାସ୍ତା ହେବା ପାଇଁ ବହୁ ଦିନରୁ ସର୍ଭେ ସରିଥିଲେ ମଧ୍ୟ ରାସ୍ତା ନିର୍ମାଣର କୌଣସି ବାସ୍ନା ନଥିବା ବେଳେ ବିଭାଗ ପକ୍ଷରୁ ରାସ୍ତା ମରାମତି କରିବାର ମଧ୍ୟ ନାମ ଧରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande