ଖୋର୍ଦ୍ଧାରେ ପୋଲିସ ମିତ୍ର ପ୍ରୟାସର ଶୁଭାରମ୍ଭ
ଖୋର୍ଦ୍ଧା, ୧୫ ମେ (ହି.ସ.) - ଖୋର୍ଦ୍ଧା ପୋଲିସ ଜିଲ୍ଲା ପକ୍ଷରୁ ଶୁକ୍ରବାର “ଖୋର୍ଦ୍ଧା ପୋଲିସ ମିତ୍ର” ପ୍ରୟାସର ଔପଚାରିକ ଶୁଭାରମ୍ଭ ସହ ଏହାର ସ୍ୱତନ୍ତ୍ର ଲୋଗୋ ଓ ନାଗରିକ ସହାୟତା ପ୍ଲାଟଫର୍ମ ଉନ୍ମୋଚନ କରାଯାଇଛି। ଏହା ପୋଲିସ-ଜନସାଧାରଣ ସହଭାଗିତାକୁ ସୁଦୃଢ଼ କରିବା ସହ ସମୁଦାୟମୂଳକ ପୋଲିସିଂକୁ ପ୍ର
Police


ଖୋର୍ଦ୍ଧା, ୧୫ ମେ (ହି.ସ.) - ଖୋର୍ଦ୍ଧା ପୋଲିସ ଜିଲ୍ଲା ପକ୍ଷରୁ ଶୁକ୍ରବାର “ଖୋର୍ଦ୍ଧା ପୋଲିସ ମିତ୍ର” ପ୍ରୟାସର ଔପଚାରିକ ଶୁଭାରମ୍ଭ ସହ ଏହାର ସ୍ୱତନ୍ତ୍ର ଲୋଗୋ ଓ ନାଗରିକ ସହାୟତା ପ୍ଲାଟଫର୍ମ ଉନ୍ମୋଚନ କରାଯାଇଛି। ଏହା ପୋଲିସ-ଜନସାଧାରଣ ସହଭାଗିତାକୁ ସୁଦୃଢ଼ କରିବା ସହ ସମୁଦାୟମୂଳକ ପୋଲିସିଂକୁ ପ୍ରୋତ୍ସାହନ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।ଏହି ପ୍ରୟାସର ଲକ୍ଷ୍ୟ ହେଉଛି ପ୍ରଯୁକ୍ତିନିର୍ଭର ଏବଂ ନାଗରିକ-ବନ୍ଧବ ପ୍ଲାଟଫର୍ମ ମାଧ୍ୟମରେ ପୋଲିସ ସେବାଗୁଡ଼ିକୁ ସହଜ ଓ ତ୍ୱରିତ ଭାବେ ଲୋକଙ୍କ ପାଖରେ ପହଂଚାଇ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ମଜବୁତ କରିବା। ଏହି ସେବା ମାଧ୍ୟମରେ ତ୍ୱରିତ ଜନସହାୟତା, ପୋଲିସିଂ କାର୍ଯ୍ୟକଳାପରେ ସମୁଦାୟର ସକ୍ରିୟ ଅଂଶଗ୍ରହଣ ଏବଂ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଓ ସହଯୋଗ ବୃଦ୍ଧି ପାଇବ। ଏହି ପ୍ରୟାସ ଅଧୀନରେ ନାଗରିକମାନେ କ୍ୟୁ ଆର -ଆଧାରିତ ଆକ୍ସେସ ଏବଂ ହୁଆଟସଆପ ସହାୟତା ମାଧ୍ୟମରେ ବିଭିନ୍ନ ପୁଲିସ ସେବା ପାଇପାରିବେ। ଏଥିରେ ଅଭିଯୋଗ ପଞ୍ଜିକରଣ, ଆପତ୍କାଳୀନ ସହାୟତା, ମୋବାଇଲ ଚୋରି ସମ୍ପର୍କିତ ରିପୋର୍ଟ, ବରିଷ୍ଠ ନାଗରିକ ସହାୟତା, ପୋଲିସ ଥାନା ଅବସ୍ଥିତି ସୂଚନା, ଫିଡବ୍ୟାକ ବ୍ୟବସ୍ଥା ଓ ଅନ୍ୟାନ୍ୟ ଜନସେବା ସୁବିଧା ସମ୍ମିଳିତ ଅଛି।

ନୂତନ ଉନ୍ମୋଚିତ ଲୋଗୋଟି ଏକତା, ଜନବିଶ୍ୱାସ, ସୁରକ୍ଷା, ତ୍ୱରିତ ପ୍ରତିକ୍ରିୟା ଏବଂ ପୁଲିସ ଓ ସମୁଦାୟ ମଧ୍ୟରେ ସହଯୋଗାତ୍ମକ ପ୍ରୟାସର ପ୍ରତୀକ। ଏହା ଖୋର୍ଦ୍ଧା ପୋଲିସର ସ୍ୱଚ୍ଛ, ସହଜଲଭ୍ୟ, ପେଶାଦାର ଏବଂ ଜନମୁଖୀ ପୋଲିସିଂ ପ୍ରତି ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।ଏହି ଅବସରରେ ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମା, ଶାନ୍ତି ରକ୍ଷା, ଅପରାଧ ନିବାରଣ, ସଚେତନତା ବୃଦ୍ଧି ଏବଂ କାର୍ଯ୍ୟକାରୀ ଅଭିଯୋଗ ନିରାକରଣରେ ସାଧାରଣ ଲୋକଙ୍କ ସକ୍ରିୟ ସହଭାଗିତାର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ସେ ସମସ୍ତ ନାଗରିକଙ୍କୁ “ପୋଲିସ ମିତ୍ର” ପ୍ରୟାସ ସହ ସକ୍ରିୟ ଭାବେ ଯୋଡ଼ି ହୋଇ ଏକ ସୁରକ୍ଷିତ ଓ ନିରାପଦ ସମାଜ ଗଠନରେ ପୋଲିସଙ୍କ ସହ ମିଳିତ ଭାବେ କାମ କରିବାକୁ ଆହ୍ୱାନ କରିଥିଲେ।ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ରେଞ୍ଜ ଆଇଜି ଡ଼ଃ ସତ୍ୟଜିତ ନାୟକ, ବରିଷ୍ଠ ପୋଲିସ ଅଧିକାରୀ, ଜନପ୍ରତିନିଧି, ସମୁଦାୟ ସଦସ୍ୟ, ଛାତ୍ରଛାତ୍ରୀ, ମାଧ୍ୟମ ପ୍ରତିନିଧି ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।ଖୋର୍ଦ୍ଧା ପୋଲିସ ଏହି ପ୍ରୟାସ ମାଧ୍ୟମରେ କାର୍ଯ୍ୟକାରୀ ସମୁଦାୟମୂଳକ ପୋଲିସିଂ ଓ ଦ୍ରୁତ ଜନସେବା ପ୍ରଦାନ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରିଛି।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande