
କେନ୍ଦ୍ରାପଡା, ୧୫ ମଇ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ତରଫରୁ ଚଳିତ ବର୍ଷ ରବି ଋତୁରେ ଉତ୍ପାଦିତ ହୋଇଥିବା ମୁଗ, ବିରି, ସୂର୍ଯ୍ୟମୁଖୀ ଓ ସୋରିଷ ଚାଷିମାନଙ୍କଠାରୁ କିଣିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ରଘୁରାମ୍.ଆର୍. ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଏ.ଆର୍.ସି.ଏସ୍, ଡି.ଆର୍.ସି.ଏସ୍, ମାର୍କଫେଡ୍ ର ଗୋଦାମ ପରିଚାଳକ ଏଫ୍.ପି.ଓ ଓ ଜିଲ୍ଲାର ସମସ୍ତ ବ୍ଲକସ୍ତରୀୟ କୃଷି ଅଧିକାରୀ ଉପସ୍ଥିତ ଥିଲେ । ଚଳିତ ଋତୁରେ ମୁଗ ୪ ହଜାର ୭୦ ଟନ୍ କିଣାଯିବାର ବ୍ୟବସ୍ଥା କରାଯାଇଛି । ବିରି ୧୨୯୨ ଟନ୍, ବାଦାମ ୯୮ ଟନ୍, ସୂର୍ଯ୍ୟମୁଖୀ ୩୧ ଟନ୍ ଏବଂ ସୋରିଷ ୨ ଟନ୍ କିଣାଯିବାର ବ୍ୟବସ୍ଥା କରାଯାଇଅଛି ।
ଏଥିରେ ବିଭିନ୍ନ ବ୍ଲକରେ କୃଷି ସମବାୟ ସମିତି ଓ ଏଫ୍.ପି.ଓ କିଣାରେ ସହଯୋଗ କରିବେ । ମୁଗ କ୍ୱିଣ୍ଟାଲ୍ ପିଛା ୮ହଜାର ୭୬୮ ଟଙ୍କା, ବିରି କ୍ୱିଣ୍ଟାଲ୍ ପିଛା ୭ହଜାର ୮୦୦ ଟଙ୍କା, ବାଦାମ ୭ ହଜାର ୨ଶହ ୬୩ , ସୂର୍ଯ୍ୟମୁଖୀ ୭ ହଜାର ୭ ଶହ ୨୧, ସୋରିଷ ୬ ହଜାର ୨ଶହ କ୍ୱିଣ୍ଟାଲ୍ ମୂଲ୍ୟରେ କିଣାଯିିବାର ଧାର୍ଯ୍ୟ ରଖାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ରବି