
ଭୁବନେଶ୍ୱର,୧୫ ମଇ (ହି.ସ) - ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପକ୍ଷରୁ କର୍ମଚାରୀମାନଙ୍କ ନିଷ୍ଠାପର ଉଦ୍ୟମ, ଉତ୍ସର୍ଗୀକୃତ ମନୋଭାବ ଏବଂ କଠିନ ପରିଶ୍ରମକୁ ସମ୍ମାନ ଜଣାଇ ରେଟଙ୍ଗ କଲୋନୀସ୍ଥିତ ରେଳବାଇ କଲ୍ୟାଣ ମଣ୍ଡପଠାରେ ୭୦ତମ ରେଳ ସେବା ପୁରସ୍କାର-୨୦୨୫ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମଣ୍ଡଳର ୬୦ ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଅଦ୍ଭୁତପୂର୍ବ ସେବା ପାଇଁ ଖୋର୍ଦ୍ଧା ରୋଡ଼ର ମଣ୍ଡଳ ରେଳ ପ୍ରବନ୍ଧକ ଡି. ସୁନୀଲଙ୍କ ଦ୍ୱାରା ସମ୍ମାନିତ କରାଯାଇଛି।
ଏହି ଅବସରରେ ଅଭିଭାଷଣ ପ୍ରଦାନ କରି ଡି. ସୁନୀଲ ସମସ୍ତ ପୁରସ୍କାର ବିଜେତା କର୍ମଚାରୀମାନଙ୍କୁ ସେମାନଙ୍କର ଦୃଢ଼ ସଂକଳ୍ପ, ନିଷ୍ଠା ଏବଂ ମଣ୍ଡଳ ପାଇଁ ସ୍ଥିର କରାଯାଇଥିବା ଲକ୍ଷ୍ୟ ହାସଲ କରିବା ଦିଗରେ ଅସାଧାରଣ ପ୍ରତିବଦ୍ଧତା ପାଇଁ ଅଭିନନ୍ଦନ ଜଣାଇଥିଲେ। ସେ ପ୍ରକାଶ କରିଥିଲେ ଯେ, ପୂର୍ବତଟ ରେଳବାଇ ପକ୍ଷରୁ ଆୟୋଜିତ 'ବିଶିଷ୍ଟ ରେଳ ସେବା ପୁରସ୍କାର-୨୦୨୫'ରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ୪ଟି ଦକ୍ଷତା ଶିଲ୍ଡ ହାସଲ କରିଛି।
ଏହି ସମାରୋହ ଅବସରରେ ମଣ୍ଡଳ ରେଳ ପ୍ରବନ୍ଧକ କୃତୀ ରେଳ କର୍ମଚାରୀମାନଙ୍କୁ ରେଳ ସେବା ପୁରସ୍କାର-୨୦୨୫ ରେ ସମ୍ମାନିତ କରିବା ସହ ଖୋର୍ଦ୍ଧା ରୋଡ଼ ମଣ୍ଡଳକୁ ଭାରତୀୟ ରେଳବାଇର ଅନ୍ୟତମ ଶ୍ରେଷ୍ଠ ମଣ୍ଡଳ ଭାବେ ଗଢ଼ିତୋଳିବା ପାଇଁ ସମସ୍ତ କର୍ମଚାରୀଙ୍କୁ ଏହିପରି ନିଷ୍ଠାର ସହ କାର୍ଯ୍ୟ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ।
ଉତ୍ସବ ସମୟରେ ରେଳ କର୍ମଚାରୀ, 'ସୃଜନକୁଞ୍ଜ'ର ଶିଶୁ, ଉତ୍କଳ ପବ୍ଲିକ ସ୍କୁଲ ଏବଂ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ, ଖୋର୍ଦ୍ଧା ରୋଡ଼ର ସଦସ୍ୟମାନଙ୍କ ଦ୍ୱାରା ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସମସ୍ତ ଶାଖା ଅଧିକାରୀ ଏବଂ ଖୋର୍ଦ୍ଧା ରୋଡ଼ ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ। ଖୋର୍ଦ୍ଧା ରୋଡ଼ର ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ପନ୍ନା ଭେଙ୍କଟେଶଙ୍କ ଦ୍ୱାରା ସମଗ୍ର କାର୍ଯ୍ୟକ୍ରମଟି ସଂଯୋଜିତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା