

ସମ୍ବଲପୁର, ୧୫ ମଇ(ହି.ସ.) – ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ରେଢ଼ାଖୋଲ ସ୍ଥିତ ପୁରୁଣାଗଡ଼ରେ ଆନୁଷ୍ଠାନିକ ଭାବରେ ଉତଖନନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରକଳ୍ପର ଉଦଘାଟନ ଉତ୍ସବରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ବ୍ୟୋମକେଶ ତ୍ରିପାଠି ଏବଂ ରେଢ଼ାଖୋଲର ଉପ ଜିଲ୍ଲାପାଳ ରଶ୍ମି ରଞ୍ଜନ ମହାନ୍ତ ଯୋଗ ଦେଇଥିଲେ। ଉତଖନନ ନିର୍ଦ୍ଦେଶକ ଡ. ଅତୁଲ କୁମାର ପ୍ରଧାନଙ୍କ ପ୍ରାରମ୍ଭିକ ଭାଷଣ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ସେ ଉତଖନନ ପ୍ରକଳ୍ପର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବ୍ୟାଖ୍ୟା କରିଥିଲେ। ସେ କହିଥିଲେ ଯେ ପୁରୁଣାଗଡ଼ ଉତଖନନର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ସ୍ଥାନର ସାଂସ୍କୃତିକ କ୍ରମ ଏବଂ ଐତିହାସିକ ଗୁରୁତ୍ୱକୁ ବୁଝିବା। ସମାବେଶକୁ ସମ୍ବୋଧିତ କରି ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ତ୍ରିପାଠୀ କହିଛନ୍ତି ଯେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଗବେଷଣା ଏବଂ ପ୍ରତ୍ନତାତ୍ୱିକ ତଦନ୍ତ ମାଧ୍ୟମରେ ରେଢ଼ାଖୋଲ ଅଂଚଳର ଲୁକ୍କାୟିତ ଐତିହ୍ୟକୁ ଅନୁସନ୍ଧାନ ଏବଂ ଡକ୍ୟୁମେଂଟେସନ୍ କରିବା ପାଇଁ ପ୍ରତିବଦ୍ଧ। ଏହି ଅବସରରେ ପ୍ର. ତ୍ରିପାଠୀ ମଧୁପୁର ଏବଂ କନ୍ଧରା ସମେତ ପ୍ରସିଦ୍ଧ ସନ୍ଥକବି ଭୀମ ଭୋଇଙ୍କ ସହ ଜଡ଼ିତ ପବିତ୍ର ସ୍ଥଳ ପରିଦର୍ଶନ କରିଥିଲେ। ଏହି ଅବସରରେ ଅନେକ ସମାଜସେବୀ, ସ୍ଥାନୀୟ ବାସିନ୍ଦା, ଗବେଷକ ବିଦ୍ୱାନ ଏବଂ ଛାତ୍ର ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ