
ଝାରସୁଗୁଡା, ୧୫ ମଇ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ସିଏମ୍-ସମ୍ପଦ ଡ୍ୟାସବୋର୍ଡ ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ସମ୍ପଦ ଯୋଜନାରେ ଅନ୍ତର୍ଭୁକ୍ତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଏବଂ ଡାଟା ଅପଲୋଡ୍ ପ୍ରକ୍ରିୟାର ଅନୁଧ୍ୟାନ କରିଥିଲେ। ସରକାରଙ୍କ ୧୦ଟି ପ୍ରମୁଖ ଯୋଜନା ଏହି ଡ୍ୟାସବୋର୍ଡ ମାଧ୍ୟମରେ ଟ୍ରାକିଂ କରାଯାଉଥିବାରୁ, ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ତଥ୍ୟର ସଠିକତା ଯାଞ୍ଚ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପୋଷଣ କ୍ଷେତ୍ର ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱାରୋପ କରିଛନ୍ତି। ବିଶେଷ କରି ସ୍ୱାସ୍ଥ୍ୟ ଏବଂ ସମାଜ ମଙ୍ଗଳ ବିଭାଗର କାର୍ଯ୍ୟକାରିତା ଯେଉଁ ସ୍ଥାନରେ 'ରେଡ୍' କିମ୍ବା 'ଅରେଞ୍ଜ' ବର୍ଗରେ ରହିଛି, ସେଗୁଡ଼ିକୁ ତୁରନ୍ତ ସୁଧାରି 'ଗ୍ରୀନ୍' ବର୍ଗକୁ ଆଣିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ଯେଉଁ ଅଞ୍ଚଳରେ ବିଦ୍ୟାଳୟ ନାହିଁ, ସେଠାରେ ଶିକ୍ଷା ଭିତ୍ତିଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ କହିଛନ୍ତି। ସେହିପରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସହାୟତା ପ୍ରଦାନ କ୍ଷେତ୍ରରେ ଡି ବି ଟି ମାଧ୍ୟମରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଓ ପୋଷ୍ଟ ଅଫିସ ଜରିଆରେ ସହାୟତା ରାଶି ଯେପରି ମିଶନ ମୋଡ୍ରେ ହିତାଧିକାରୀଙ୍କ ପାଖରେ ପହଞ୍ଚିବ, ତାହା ନିଶ୍ଚିତ କରିବାକୁ କୁହାଯାଇଛି। ଏହି ପାଣ୍ଠିର ସଠିକ ବିନିଯୋଗ ଏବଂ ବାକି ଥିବା କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରି ପ୍ରଥମ ବର୍ଷର ଲକ୍ଷ୍ୟ ହାସଲ ପାଇଁ ଏକ ମାଇକ୍ରୋ ପ୍ଲାନ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ଏହି ବୈଠକରେ ଝାରସୁଗୁଡ଼ା ପୌରପାଳିକାର ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତିଆ, ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ନନ୍ଦ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ଗଡ଼ତିଆଙ୍କ ସମେତ ଡିଏମଏଫ୍ ଏବଂ ଅନ୍ୟାନ୍ୟ ସମସ୍ତ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ