ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ସମ୍ପ୍ରସାରଣ ନେଇ ସମନ୍ଵୟ ବୈଠକ
ଝାରସୁଗୁଡ଼ା, ୧୫ ମଇ (ହି.ସ.)- ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ତ୍ୱରିତ ବିକାଶ ଓ ସମ୍ପ୍ରସାରଣ ନିମନ୍ତେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିମାନବନ୍ଦରର ସମ୍ପ୍ରସାରଣ ପାଇଁ ଅତିରିକ୍ତ ୨୨୬ ଏକର ଜମି ଅଧିଗ
ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ସମ୍ପ୍ରସାରଣ ନେଇ ସମନ୍ଵୟ ବୈଠକ


ଝାରସୁଗୁଡ଼ା, ୧୫ ମଇ (ହି.ସ.)- ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ତ୍ୱରିତ ବିକାଶ ଓ ସମ୍ପ୍ରସାରଣ ନିମନ୍ତେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିମାନବନ୍ଦରର ସମ୍ପ୍ରସାରଣ ପାଇଁ ଅତିରିକ୍ତ ୨୨୬ ଏକର ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଥିବା ବେଳେ, ଏହି ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ ସେବା ତଥା ଜନଉପଯୋଗୀ ଭିତ୍ତିଭୂମିର ସ୍ଥାନାନ୍ତରଣ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। ପ୍ରସ୍ତାବିତ ଜମି ଅଧିଗ୍ରହଣ ଅଞ୍ଚଳରେ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତ ଅଧୀନରେ ଥିବା ରାସ୍ତା ସମେତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ପାଇପ୍ ଲାଇନ ଏବଂ ପାଣି ଟାଙ୍କି ରହିଛି। ସେହିଭଳି ଓ ପି ଟି ସି ଏଲ୍ ର ବିଦ୍ୟୁତ୍ ସଂଚାରଣ ଲାଇନ, ଟିପିଡବ୍ଲ୍ୟୁଓଡିଏଲ୍ ର ଟ୍ରାନ୍ସଫର୍ମର ଏବଂ କିଛି ଗ୍ରାମ୍ୟ ପୁଷ୍କରିଣୀ ମଧ୍ୟ ଏହି ଅଞ୍ଚଳରେ ଅବସ୍ଥିତ। ଏହି ସମସ୍ତ ଭିତ୍ତିଭୂମି ବିମାନବନ୍ଦର ସମ୍ପ୍ରସାରଣ ଦ୍ୱାରା ପ୍ରଭାବିତ ହେବାକୁ ଥିବାରୁ, ଏଗୁଡ଼ିକୁ ସୁବିଧାଜନକ ସ୍ଥାନକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଜିଲ୍ଲାପାଳ ସମସ୍ତ ସାମାଜିକ ଓ ଜନଉପଯୋଗୀ ସେବା ବିଭାଗର ଅଧିକାରୀମାନଙ୍କୁ ଆସନ୍ତା ୧୦ ଦିନ ମଧ୍ୟରେ ଅଧିଗ୍ରହଣ ହେବାକୁ ଥିବା ଅଞ୍ଚଳ ପରିଦର୍ଶନ କରିବାକୁ କହିଛନ୍ତି। ପରିଦର୍ଶନ ପରେ କେଉଁ ସବୁ ସେବା ପ୍ରଭାବିତ ହେଉଛି ଏବଂ ସେଗୁଡ଼ିକର ସ୍ଥାନାନ୍ତରଣ ପାଇଁ କି ପଦକ୍ଷେପ ନିଆଯିବ, ସେ ସମ୍ପର୍କିତ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପ୍ରସାରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି।

ଏହି ବୈଠକରେ ଝାରସୁଗୁଡ଼ା ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ତହସିଲଦାର ସଦାକର କୁମ୍ଭାର, ଜମି ଅଧିଗ୍ରହଣ ଅଧିକାରୀ ବିନୟ ପଟେଲ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ , ଓ ପି ଟି ସି ଏଲ ଓ ଟିପିଡବ୍ଲ୍ୟୁଓଡିଏଲ୍ ବରିଷ୍ଠ ଅଧିକାରୀ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande