
ଝାରସୁଗୁଡ଼ା, ୧୫ ମଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତଥା ସମାଜ ମଙ୍ଗଳ କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲା ଖଣିଜ ପାଣ୍ଠି ଅଡିଟୋରିୟମ ହଲଠାରେ ୮ମ ରାଷ୍ଟ୍ରୀୟ ପୋଷଣ ପକ୍ଷୱାଡା ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଇଛି। ହିତାଧିକାରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସୁପୋଷଣ, ଜନସ୍ୱାସ୍ଥ୍ୟ ଏବଂ ଶିଶୁ ବିକାଶ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ଗର୍ତ୍ତିଆ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଧୁସ୍ମିତା ସାହୁ ଏବଂ ଖାଦ୍ୟ ସୁରକ୍ଷା ଅଧିକାରୀ ସେବାଷ୍ଟିନ ହୋରୋ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଚଳିତ ବର୍ଷର ଏହି କାର୍ଯ୍ୟକ୍ରମର ମୂଳ ବିଷୟବସ୍ତୁ ଜୀବନର ପ୍ରଥମ ଛଅ ବର୍ଷରେ ମସ୍ତିଷ୍କର ସର୍ବାଧିକ ବିକାଶ ରହିଥିବା ବେଳେ ଏହି ପରିପ୍ରେକ୍ଷୀରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶିଶୁର ପ୍ରଥମ ୧୦୦୦ ଦିନର ଗୁରୁତ୍ୱ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଗର୍ଭାବସ୍ଥାରୁ ଦୁଇ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁକୁ ସଠିକ ପୋଷଣ ମିଳିଲେ ତାହାର ମସ୍ତିଷ୍କ ଓ ଶାରୀରିକ ବୃଦ୍ଧି ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ବୋଲି ସେ ପ୍ରକାଶ କରିବା ସହ ସନ୍ତୁଳିତ ଖାଦ୍ୟରେ ଆୟରନ, ପ୍ରୋଟିନ ଏବଂ ଭିଟାମିନର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଭୋଇ ଗର୍ଭବତୀ, ପ୍ରସୂତି ମହିଳା ଏବଂ କିଶୋରୀମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ଅପରିହାର୍ଯ୍ୟତା ଉପରେ ଗୁରୁତ୍ୱ ଦେଇଥିଲେ। କୁପୋଷଣ ଦୂରୀକରଣ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଦିଆଯାଉଥିବା ସେବାଗୁଡ଼ିକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ସେ କ୍ଷେତ୍ର କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାରଣା ଶିଶୁର ୬ ମାସ ବୟସ ପରେ ମା’ କ୍ଷୀର ସହିତ ପୂରକ ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ସୂଚନା ଦେବା ସହ ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକରେ ପ୍ରଦାନ କରାଯାଉଥିବା ସେବା ସମ୍ବନ୍ଧରେ ଅବଗତ କରାଇଥିଲେ।
ଲେଡି ସୁପରଭାଇଜର ଶୀଳା ପ୍ରଧାନଙ୍କ ଦ୍ୱାରା ମଞ୍ଚ ପରିଚାଳିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଅଙ୍ଗନବାଡ଼ି କର୍ମୀ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଶେଷରେ ଜିଲ୍ଲା ପୋଷଣ ସଂଯୋଜକ ରାମାକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ