

ମାଲକାନଗିରି, ୧୭ ମଇ(ହି.ସ.) – ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସାଂଗଠନିକ ସ୍ତରରେ ଏକ ବଡ଼ ଧରଣର ଶକ୍ତି ପ୍ରଦର୍ଶନ କରାଯାଇଛି। ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦ୍ୱାରା ନୂତନ ରାଜ୍ୟ ସମ୍ପାଦକ ଭାବେ ମନୋନୀତ ହେବା ପରେ, ବିଜେଡି ନେତା ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କୁ ଜିଲ୍ଲାରେ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲାର ପ୍ରସିଦ୍ଧ ଭୈରବ ମନ୍ଦିରଠାରୁ ଆରମ୍ଭ ହୋଇଥିବା ଏହି ସମ୍ବର୍ଦ୍ଧନା ଶୋଭାଯାତ୍ରା ସଂସ୍କୃତ ଭବନ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଜିଲ୍ଲାର କୋଣ-ଅନୁକୋଣରୁ ଶତାଧିକ ଜିଲ୍ଲା ସ୍ତରୀୟ ନେତୃମଣ୍ଡଳୀ ଓ ସ୍ଥାନୀୟ ଲୋକପ୍ରତିନିଧିମାନେ ସାମିଲ ହୋଇ ଦଳୀୟ ଏକତା ପ୍ରଦର୍ଶନ କରିଥିଲେ।
ଏହି ଅବସରରେ ବିଜେଡି ନେତୃବୃନ୍ଦ ପ୍ରକାଶ କରିଛନ୍ତି ଯେ, ଶ୍ରୀ ତ୍ରିପାଠୀଙ୍କ ନିଯୁକ୍ତି ଦଳକୁ ତୃଣମୂଳ ସ୍ତରରେ ଆହୁରି ଅଧିକ ସଂଗଠିତ ଓ ସୁଦୃଢ଼ କରିବ। ମାଲକାନଗିରିର ଜନସାଧାରଣ ସବୁବେଳେ ବିଜୁ ଜନତା ଦଳ ସହିତ ରହିଛନ୍ତି ଏବଂ ଆଗକୁ ମଧ୍ୟ ରହିବେ ବୋଲି ସେମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ବିଜେପି ସରକାର ଉପରେ ବର୍ଷିଲେ ନେତା: ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ବର୍ତମାନର ଭାରତୀୟ ଜନତା ପାର୍ଟି ସରକାର ଉପରେ ତୀବ୍ର ଆକ୍ରମଣ କରାଯାଇଛି। ବିଜେଡି ନେତାଙ୍କ ଅଭିଯୋଗ ଅନୁସାରେ, ବିଜେପି କେବଳ ମିଛ ପ୍ରତିଶ୍ରୁତି ଦେଇ ଓଡ଼ିଶାରେ କ୍ଷମତାକୁ ଆସିଛି। ସୁଭଦ୍ରା ଯୋଜନା ଏବଂ ଧାନର ସରକାରୀ ମୂଲ୍ୟ ୩୧୦୦ ଟଙ୍କା କରିବା ନେଇ ସରକାର ଗରିବ ଲୋକଙ୍କୁ ପ୍ରତାରିତ କରିଛନ୍ତି। ବର୍ତମାନ ବଜାରରେ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବା ଯୋଗୁଁ ସାଧାରଣ ଜନତାଙ୍କ ପେଟରେ ଲାତ ବାଜିଛି। ମହଙ୍ଗା ମାଢ଼ ଯୋଗୁଁ ଗ୍ୟାସ ସିଲିଣ୍ଡର ଛାଡ଼ି ମହିଳାମାନେ ପୁଣି ଥରେ କାଠ ଚୁଲି ଆପଣାଇବାକୁ ବାଧ୍ୟ ହେଉଛନ୍ତି, ଯାହାଫଳରେ ଜଙ୍ଗଲ କ୍ଷୟ ହେବାର ଆଶଙ୍କା ଦେଖାଦେଲାଣି।
ଚିତ୍ରକୋଣ୍ଡାରେ ନାରୀ ଅଧିକାର ଅଭିଯାନ ଏହି ସାଂଗଠନିକ ଶକ୍ତି ପ୍ରଦର୍ଶନ ପରେ ବିଜେଡି ପକ୍ଷରୁ ଆଜି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଚିତ୍ରକୋଣ୍ଡା ଠାରେ ଏକ ବିଶାଳ ମହିଳା ମହାସମାବେଶର ଆୟୋଜନ କରାଯାଉଛି। 'ନାରୀ ଅଧିକାର ଅଭିଯାନ' ବ୍ୟାନରରେ ହେବାକୁ ଥିବା ଏହି ସମାବେଶରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ନ ମିଳିବା ଏବଂ ବିଜେପି ସରକାରଙ୍କ ମହିଳା ବିରୋଧୀ ନୀତି ବିରୋଧରେ ସ୍ୱର ଉତୋଳନ କରାଯିବ। ସରକାରଙ୍କ ବିଫଳତା ଓ ମିଛ ପ୍ରଚାର ବିରୋଧରେ ବିଜେଡି ଏହି ଲଢେଇକୁ ଆହୁରି ଜୋରଦାର କରିବ ବୋଲି ଜିଲ୍ଲା ନେତୃମଣ୍ଡଳୀ ଚେତାବନୀ ଦେଇଛନ୍ତି।ଜିଲ୍ଲା ସଭାପତି ମାନସ ମାଡକାମୀ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା!
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ