

କନ୍ଧମାଳ, ୧୭ ମଇ(ହି.ସ.) – ନିଜ ଗାଁ ର ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ପାଇଁ ନିଜେ ଅଣ୍ଟା ଭିଡ଼ିଛନ୍ତି ଜଣେ ଦିନ ମଜୁରିଆ କ୍ଷ ଏଥିପାଇଁ ସେ ସ୍ୱତଃ ପ୍ରବୃତ ଭାବରେ ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କୁ ଟ୍ରାଫିକ ସେବା ଯୋଗାଇ ସମସ୍ତ ଙ୍କ ପାଇଁ ପ୍ରଂଶସା ସାଉଁଟିଥିବା ସହ ଲୋକଙ୍କ ପ୍ରିୟପାତ୍ର ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ପାବୁରିଆ ଗାଁରୁ ଦେଖିବାକୁ ମିଳିଛି ଏହି ଖବର। ଟ୍ରାଫିକ ସମସ୍ୟା ସମାଧାନ ଦିଗରେ ଏପରି ଏକ ସଚେତନତାର ବାସ୍ତବ ଚିତ୍ର। ଟିକାବାଲି ବ୍ଲକ ପାବୁରିଆ ଗାଁର ଦିନ ମଜୁରିଆ ବସନ୍ତ କୁମାର ବୁର୍ଗୀ। ପାବୁରିଆ ଗାଁ ରେ ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି କ୍ଷ ଟ୍ରାଫିକ ସମସ୍ୟା ସହ ଗାଁ ରେ ଦୁର୍ଘଟଣାରୁ ଜନସାଧାରଣଙ୍କୁ ରକ୍ଷା କରିବା ନିମନ୍ତେ ଶେଷରେ ଆଗକୁ ଆସିଛନ୍ତି ବସନ୍ତ କୁମାର ବୁର୍ଗୀ। ଦୀର୍ଘ ପନ୍ଦର ଦିନରୁ ଉର୍ଦ୍ଧ୍ୱ ସମୟ ଧରି ଜନଗହଳି ପୂର୍ଣ୍ଣ ପାବୁରିଆ ଚାରି ଛକରେ ସେ ନିଜକୁ ନିୟଜିତ କରିଛନ୍ତି। ତେବେ ପେଶାରେ ବସନ୍ତ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ସେ ନିଜ ରୋଜଗାର ଛାଡି ଏବେ ଜନସାଧାରଣଙ୍କ ପାଇଁ ନିସ୍ୱାର୍ଥପର ଭାବେ ବିନା ପାରିଶ୍ରମିକ ରେ ଟ୍ରାଫିକ ସେବା ଯୋଗାଇ ଆସୁଛନ୍ତି। ଏଥିପାଇଁ ସକାଳ ଠାରୁ ରାତ୍ରି ପର୍ଯ୍ୟନ୍ତ ହୁଇସିଲ ଖଣ୍ଡେ ଧରି ପାବୁରିଆ ଚାରି ଛକରେ ଟ୍ରାଫିକ ସେବାଦେଇ ଚାଲିଛନ୍ତି। ଅତୀତ ରେ ବସନ୍ତଙ୍କ ପରିବାରର ସଦସ୍ୟ ଦୁର୍ଘଟଣାରେ ଆହତ ହୋଇଥିବା ନେଇ ସେ ଏପରି ପଦକ୍ଷେପ ନେଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଅନ୍ୟ କେହି ଯେପରି ଦୁର୍ଘଟଣାର ଶୀକାର ନ ହୁଅନ୍ତୁ ଓ ଟ୍ରାଫିକ ସମସ୍ୟା ଯେପରି ନ ଉପୁଜେ ସେଥିପାଇଁ ଦିନ ମଜୁରିଆ ହୋଇ ବି ଏପରି ପନ୍ଥା ଆଦରି ନେଇଛନ୍ତି ବସନ୍ତ। ତେବେ ବସନ୍ତଙ୍କ ଏପରି ନିସ୍ୱାର୍ଥପର ସେବା ପାଇଁ ସ୍ଥାନୀୟ ସରପଂଚ ସଞ୍ଜୟ କୁମାର ନାୟକ, ବୁଦ୍ଧିଜୀବୀ ଚିତରଞ୍ଜନ ବେହେରା, ଗୋପାଳ କୃଷ୍ଣ ନାୟକଙ୍କ ସମେତ ଅଂଚଳବାସୀ ଖୁସିବ୍ୟକ୍ତ କରି ତାଙ୍କୁ ସାଧୁବାଦ ଦେବାସହ ଏପରି କାର୍ଯ୍ୟ ପାଇଁ ପ୍ରଶଂସା ମଧ୍ୟ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ