

କନ୍ଧମାଳ, ୧୭ ମଇ(ହି.ସ.) – କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଅଂଚଳର ଝିଅ ଲଷ୍ମୀପ୍ରିୟା ପରିଡ଼ାଙ୍କୁ ଜାତୀୟ ସ୍ତରରେ ସିଆଇଆଇ ଆଦର୍ଶ ମହିଳା ସମ୍ମାନ ମିଳିବା ବ୍ରାହ୍ମଣୀଗାଁ ଅଂଚଳ ତଥା ଓଡ଼ିଶା ପାଇଁ ଗୌରବ ଆଣିଦେଇଛି। ନୂଆଦିଲ୍ଲୀରେ ଆୟୋଜିତ ସିଆଇଆଇ ବାର୍ଷିକ ବ୍ୟବସାୟୀ ଭେଟଘାଟ ୨୦୨୬ ଅବସରରେ ଗତ ୧୨ ତାରିଖ ଦିନ ତାଙ୍କୁ ଏହି ସମ୍ମାନ ମିଳିଛି। ଆୟୋଜିତ ସ୍ୱତନ୍ତ୍ର ଭବ୍ୟ କାର୍ଯ୍ୟକ୍ରମରେ ଲଷ୍ମୀଙ୍କ ସମେତ ଭାରତର ବିଭିନ୍ନ ରାଜ୍ୟରୁ ମୋଟ ୩୭୬ ଜଣ ମହିଳା ଏହି ସମ୍ମାନ ପାଇଁ ଆବେଦନ କରିଥିଲେ, ଏଥିମଧ୍ୟରୁ ୨୦ ଜଣ ମାତୃଶକ୍ତିଙ୍କୁ ୨୦୨୬ ବର୍ଷର ଓମେନ୍ ଏକଜାମ୍ପଲାର ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା। ଭାରତ ସରକାରଙ୍କ ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହା ପ୍ରଦାନ କରିଥିଲେ।
୧୯୯୩ ମସିହାରୁ ଲକ୍ଷ୍ମୀପ୍ରିୟା ଏକ ସେଚ୍ଛାସେବୀ ଅନୁଷ୍ଠାନରେ କାର୍ଯ୍ୟ ଆରମ୍ଭ କରିଥିଲେ। ତାଙ୍କର ନିଷ୍ଠାପରତା, ସଚ୍ଚୋଟତା, ଭଲପାଇବା ଏବଂ ସହଯୋଗ ଗୁଣାବଳୀ ପାଇଁ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ପାଇପାରିଛନ୍ତି।
ପରବର୍ତୀ ସମୟରେ ସେ ୨୦୧୦ରେ ଆଇ.ଜି.ଏସ୍ ସହ ଯୋଡ଼ି ହେବାପରେ ମଙ୍ଗଳାଯୋଡ଼ି ଇକୋ ଟୁରିଜିମ୍ରୁ ଆରମ୍ଭ କରି ରାୟଗଡ଼ା, ଶିମିଳିପାଳ ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଯାଜପୁରରେ ମହିଳାମାନଙ୍କ ଜୀବନ ଜୀବିକା ପାଇଁ କାମ ଜାରି ରଖିଛନ୍ତି। ଆଜି ସେ ଓଡ଼ିଶାର ବିଭିନ୍ନ ଅଂଚଳରେ ୪୭୨୨୩ ପରିବାର ପାଖରେ ପହଂଚିବା ସହ ୧୨୪୩୫ ଜଣ ମହିଳାଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି।
ଆୱାର୍ଡ଼ ପାଇବା ପରେ ଲକ୍ଷ୍ମୀଙ୍କୁ ପଚାରିବାରୁ ସେ କହିଥିଲେ, ମୁଁ ବିଭିନ୍ନ ବାଧାବିଘ୍ନ ଓ ପ୍ରତିବନ୍ଧକ ଦେଇ ଗତିକରି ଏ ସ୍ଥାନରେ ପହଂଚି ପାରିଛି। ଏହା ପଛରେ ଡା. ସଞ୍ଜୀବ ଷଡ଼ଙ୍ଗୀ ସିଓଓ, ଆଇଜିଏସ୍ଙ୍କ ପ୍ରେରଣା ଓ ଉତ୍ସାହ ଏବଂ ସହକର୍ମୀ ତଥା କର୍ମ କ୍ଷେତ୍ରର ମହିଳାମାନଙ୍କ ଭଲପାଇବା ପାଇଁ ସମ୍ଭବ ହୋଇପାରିଛି।
ଆଗକୁ ବିଭିନ୍ନ ସ୍ତରରେ ସହଯୋଗ ମିଳିଲେ ମହିଳାମାନଙ୍କ ପାଇଁ ସେଂଟର୍ ଅଫ ଏକ୍ସେଲେନ୍ସି ଗଠନ କରି ନୂତନ ଜ୍ଞାନ, କୌଶଳ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଉନ୍ନତି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ