
ଝାରସୁଗୁଡା, 17 ମେ (ହି.ସ.)
ଜାତୀୟ ରାଜପଥ–୪୯ ଅନ୍ତର୍ଗତ କୋଲାବିରା ଥାନା ଅଧୀନ ମାଳିଡିହି କେନ୍ଦୁପଡ଼ାରେ ଶନିବାର ନିଲମ୍ୱିତ ରାତିରେ ଘଟିଥିବା ଏକ ଅଭାବନୀୟ ଦୁର୍ଘଟଣାରେ ୩ଟି ବିଦ୍ୟୁତ୍ ଖୁମ୍ବ ଉପୁଡ଼ି ପଡ଼ିଥିବା ବେଳେ ବିଦ୍ୟୁତ୍ ଆଘାତରେ ମା’-ପୁଅ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା ।
ସୂଚନା ଅନୁଯାୟୀ, ଏମଏଚ–୧୨ ଏସଏକ୍ସ–୮୯୧୬ ନମ୍ବର ବିଶିଷ୍ଟ ଏକ ବାଉଁଶ ବୋଝେଇ ଟ୍ରକ୍ ବାରିପଦାରୁ ଝାରସୁଗୁଡ଼ା ଯାଉଥିଲା । ଶନିବାର ରାତି ୧୧.୩୦ ସମୟରେ ମାଳିଡିହି କେନ୍ଦୁପଡ଼ା ନିକଟରେ ରାସ୍ତା ଉପରେ ଯାଇଥିବା ବିଦ୍ୟୁତ୍ ତାର ଟ୍ରକରେ ଲାଗିଯାଇଥିଲା । ଫଳରେ ବିଦ୍ୟୁତ୍ ତାର ଛିଣ୍ଡିଯାଇ ୩ଟି ବିଦ୍ୟୁତ୍ ଖୁମ୍ବ ଉପୁଡ଼ି ପଡ଼ିଥିଲା । ଖୁମ୍ବଗୁଡ଼ିକ ପ୍ରାୟ ୨୦୦ ମିଟର ଦୂର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଯାଇଥିବା ସୂଚନା ମିଳିଛି ।
ଦୁର୍ଘଟଣାରେ ସ୍ଥାନୀୟ ବାସିନ୍ଦା ଉଗ୍ରସେନ ସାହୁଙ୍କ ଘର ସମ୍ମୁଖର ଛପର ଭାଙ୍ଗିଯାଇଥିଲା । ଏହାପରେ ଜୀବନ୍ତ ବିଦ୍ୟୁତ୍ ତାର ଘର ସମ୍ମୁଖରେ ପଡ଼ିଥିବାରୁ ଉଗ୍ରସେନଙ୍କ ପୁଅ ବିକି ସାହୁ (୨୨) ଓ ମା’ କଲକତି ସାହୁ (୭୦) ବିଦ୍ୟୁତ୍ ଆଘାତରେ ଆହତ ହୋଇଥିବା ଅଭିଯୋଗ ହୋଇଛି ।
ଘଟଣା ପରେ ମାଳିଡିହି ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଥିଲା । କ୍ଷୁବ୍ଧ ଗ୍ରାମବାସୀ ଟ୍ରକ୍ ଓ ଚାଳକଙ୍କୁ ଅଟକ ରଖିଥିଲେ । ଖବର ପାଇ କୋଲାବିରା ପୋଲିସ ଓ ବିଦ୍ୟୁତ୍ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।
ଦୁର୍ଘଟଣା ଯୋଗୁଁ କିଛି ସମୟ ପାଇଁ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ରାତି ପ୍ରାୟ ୧୨.୩୦ଟା ପରେ ଯାନଚଳାଚଳ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ