
ଅହମ୍ମଦାବାଦ, ମେ ୧୭ (ହି.ସ.) - କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ରବିବାର ଦିନ ଅହମ୍ମଦାବାଦରେ 'ମିଲିୟନ୍ ମାଇଣ୍ଡସ୍ ଟେକ୍ ପାର୍କ' ଏବଂ 'ଗଣେଶ ରିଅଲ୍ ଇଷ୍ଟେଟ୍ ମ୍ୟାନେଜମେଂଟ ଇନଷ୍ଟିଚ୍ୟୁଟ୍'କୁ ଉଦଘାଟନ କରି କହିଛନ୍ତି ଯେ ଯେପରି ଗୁଜରାଟ ସ୍ୱାଧୀନତା ପରଠାରୁ ଦେଶକୁ ଦିଗ ଦେଇଛି, ସେହିପରି ଗୁଜରାଟ ବର୍ତମାନ ଟେକ୍ନୋଲୋଜି ଏବଂ ନବସୃଜନ କ୍ଷେତ୍ରରେ ସମଗ୍ର ଦେଶକୁ ନେତୃତ୍ୱ ଦେବ।
ଅମିତ ଶାହ କହିଥିଲେ ଯେ ଗୁଜରାଟୀମାନଙ୍କ ସ୍ୱଭାବରେ ବିକାଶ ଏବଂ ପ୍ରଗତି ନିହିତ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୁଜରାଟ ଆଉ କେବଳ ଉତ୍ପାଦନ ଆଧାରିତ ରାଜ୍ୟ ହୋଇ ରହିବ ନାହିଁ, ବରଂ ସେବା, ଜ୍ଞାନ ଏବଂ ଆଧୁନିକ ପ୍ରଯୁକ୍ତି ଆଧାରିତ ଅର୍ଥବ୍ୟବସ୍ଥାର ଏକ ବିଶ୍ୱସ୍ତରୀୟ କେନ୍ଦ୍ର ହେବ। ସେ କହିଥିଲେ ଯେ ଆଜି ଆରମ୍ଭ ହୋଇଥିବା ଦୁଇଟି ଯାକ ପ୍ରକଳ୍ପ ରାଜ୍ୟର ଯୁବକମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିବ ଏବଂ ଗୁଜରାଟକୁ ନୂତନ ଶିଖରରେ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ସେ କହିଥିଲେ ଯେ ଏହି ବୈଷୟିକ ସହରକୁ ଅହମ୍ମଦାବାଦ-ଗାନ୍ଧୀନଗର ଉଚ୍ଚ-ଅଭିବୃଦ୍ଧି କ୍ଷେତ୍ରରେ ପାଖାପାଖି ୬୫ ଏକର ଅଂଚଳରେ ବିକଶିତ କରାଯାଉଛି, ଯେଉଁଠାରେ ଉଚ୍ଚସ୍ତରୀୟ କାର୍ଯ୍ୟାଳୟ, ଆବାସିକ ସୁବିଧା, ବ୍ୟବସାୟିକ କମ୍ପେ୍ଲକ୍ସ ଏବଂ ଆତିଥ୍ୟ ସେବାର ବିକାଶ କରାଯିବ। ଏହି ପ୍ରକଳ୍ପ ଜରିଆରେ ୭୦ ହଜାରରୁ ଅଧିକ ଯୁବକଯୁବତୀ ଉଚ୍ଚ ଦକ୍ଷତା ସମ୍ପନ୍ନ ନିଯୁକ୍ତି ପାଇବାର ସମ୍ଭାବନା ରହିଛି।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ