
ଜୟପୁର, 17 ମେ (ହି.ସ.)ଜଳିଲାଣି କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ । ସବୁଦିନ ତାପମାତ୍ରା ୩୪ଡିଗ୍ରୀ ପାର କରୁଛି । ପ୍ରତିଦିନ ୨ଡିଗ୍ରୀ ଲେଖାଏଁ ତାପମାତ୍ରା ବଢୁଥିବା ଜଣାଯାଇଛି । । ଏପଟେ ତାତିକୁ, ସେ ପଟେ ଝାଞ୍ଜି ଅଞ୍ଚଳବାସୀ ରେ ଛଟ ପଟ ହୋଉଛନ୍ତି । ଦିନରେ ବାହାରକୁ ବାହାରିବା କଷ୍ଟକର ହୋଇ ପଡୁଛି । ପୁଣି ତାତି ବଢିବା ଆଶଙ୍କା କରାଯାଉଛି । ଚଳିତ ବର୍ଷ କୋରାପୁଟ ଜିଲାର ୧୪ଟି ବ୍ଲକ ବିଭିନ୍ନ ଗ୍ରାମାଞ୍ଚଳରେ ବୃଦ୍ଧି ପାଇଛି ବେଆଇନି ଇଟା ଭାଟି ।ଯାହା ଫଳରେ ଉତ୍ତାପ ସହ ଗରମ ଅନୁଭୂତ ହେଉଛି । ଦିନ ୧୦ପରେ ତାତି ଅନୁଭୂତ ହେଉଥିବାରୁ ଘରୁ ବାହାରିବା ମୁସ୍କିଲ ହୋଇଯାଇଛି । ଟାଣ ଖରା, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୀବନ ଦହଗଞ୍ଜ ହୋଇ ପଡୁଛି । ରାସ୍ତାଘାଟ ଖାଁ.. ଖାଁ । ପୂର୍ବରୁ ଜନଗହଳି ରହୁଥିବା ଜୟପୁର ମୁଖ୍ୟ ରାସ୍ତା, ଏମଜି ରୋଡ. ରାଜା ନହର ଛକ ସହ ଅନ୍ୟ ଛକ ଗୁଡିକରେ ମଧ୍ୟଆଗଭଳି ଭିଡ଼ ଦେଖିବାକୁ ମିଳୁନାହିଁ । ତାତିରୁ ରକ୍ଷା ପାଇବା ପାଇଁ ଲୋକେ ମୁଣ୍ଡରେ ରୁମାଲୁ, ଗାମୁଛା, ଟାୱେଲ ଓ ମହିଳା ମାନେ ଓଢଣୀ ଘୋଡାଇ, ଛତା ଧରି ଯିବା ଆସିବା କରୁଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁମଧ୍ୟ କୌଣସି ବ୍ୟବସ୍ଥା କରାଯାଇନାହିଁ । ଆଶ୍ରୟ ନେବା ପାଇଁ ବ୍ୟସ୍ତ ବହୁଳ ସ୍ଥାନରେ ଏ ଯାଏଁ ଅସ୍ଥାୟୀ ଆଶ୍ରୟସ୍ଥଳୀ ଖୋଲା ଯାଇନି । ପ୍ରଶାସନ ତରଫରୁ ଯେଉଁ ଜଳଛତ୍ର ଖୋଲା ହୋଇଛି କେଉଁଠି କେବଳ ଫ୍ଲେକ୍ସ ମରାଯାଇଛି,କେଉଁଠି ମାଠିଆ ଗଡୁଛି ପାଣି ନାହିଁ । ତେବେ ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି ସ୍ଥାନୀୟ ପ୍ରଶାସନ ଆବଶ୍ୟକତା ଦେଖି ସମସ୍ତ ବ୍ୟବସ୍ଥା କରିବା ଆବଶ୍ୟକ । ଅବାଧ ରେ ଇଟାଭାଟି ଯୋଗୁଁ ସ୍ଥାନୀୟ ଅଞ୍ଚଳ ଗରମ ଅନୁଭୂତ ହେଉଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଦରକାର । ଯଦି ପ୍ରଦୂଷଣ ରୋକାଯାଇ ଜଙ୍ଗଲ ବଞ୍ଚାଇବା ଦିଗରେ ସରକାର ଚିନ୍ତା କରନ୍ତେ ତେବେ ଜଳବାୟୁ ପରିବର୍ତ୍ତନକୁ ରୋକଯାଇ ପାରିବ ବୋଲି ମତ ପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି