
ଭୁବନେଶ୍ୱର, ୧୮ ମଇ (ହି.ସ.) - ଭଚବନେଶ୍ୱରରେ ସୋମବାର ଆହୁରି ଦୁଇଟି ସୌର ଚାଳିତ ୱାଟର କିଓସ୍କ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ୱାର୍କ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀଧର ବେହେରା, ଅତିରିକ୍ତ କମିଶନର କୈଳାସ ଚନ୍ଦ୍ର ଦାସ, ପରିମଳ ଉପାୟୁକ୍ତ ଶ୍ରୀ ଏନ୍. ଗଣେଶ ବାବୁ, ସ୍ଥାନୀୟ କର୍ପୋରେଟର ପୁଷ୍ପାଞ୍ଜଳୀ ସେଠୀ, ୪୦ ନମ୍ବର ୱାର୍ଡ କର୍ପୋରେଟର ଶ୍ରୀମତୀ ଆସିଆ ବେଗମ୍, ୩୬ ନମ୍ବର ୱାର୍ଡ କର୍ପୋରେଟର ଶ୍ରୀମତୀ ଅଲିଅଳି ମଲ୍ଲିକଙ୍କ ସହ ଟିମ୍ ବିଏମ୍ ସି ଉପସ୍ଥିତ ଥିଲେ ।
ସ୍ଥାୟୀ ସହରାଞ୍ଚଳ ଭିତ୍ତିଭୂମିକୁ ପ୍ରୋତ୍ସାହନ ଦେବା ଏବଂ ଗ୍ରୀଷ୍ମ ଋତୁରେ ନିରାପଦ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ଦିଗରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆଜି ୩୪ ନମ୍ବର ୱାର୍ଡ ଅନ୍ତର୍ଗତ ସ୍ମାର୍ଟ ବଜାର ସମ୍ମୁଖରେ ଏବଂ ୩୬ ନମ୍ବର ୱାର୍ଡ ଅନ୍ତର୍ଗତ ୟୁନିଟ୍-୪ ମାର୍କେଟ ନିକଟରେ ଦୁଇଟି ସୋଲାର ୱାଟର କିଓସ୍କ ଉଦଘାଟିତ ହୋଇଯାଇଛି । ଭୁବନେଶ୍ୱର ଗ୍ରୀନ୍ ସିଟି ମିଶନ ଅଧିନରେ ଭୁବନେଶ୍ୱର ମହାନଗର ନିଗମ ଓ ଓଡିଶା ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଦ୍ୱାରା ସୌର ଜଳ କିଓସ୍କ ପ୍ରତିଷ୍ଠା କରାଯାଇଛି । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି, ସ୍ଥାୟୀ ସହରାଞ୍ଚଳ ସେବା ପାଇଁ ଅକ୍ଷୟ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହିତ ସ୍ୱଚ୍ଛ ଏବଂ ନିରାପଦ ପାନୀୟ ଜଳ ପାଇଁ ଜନସାଧାରଣଙ୍କ ଉପଯୋଗକୁ ବୃଦ୍ଧି କରିବା । ଏହି କିଓସ୍କଗୁଡିକର ଉଦଘାଟନ ସହିତ ବର୍ତ୍ତମାନ ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନରେ ମୋଟ ୩୮ ଗୋଟି ସୌର ଜଳ କିଓସ୍କ ସ୍ଥାପନ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା