
ନୂଆଦିଲ୍ଲୀ, ୧୮ ମଇ(ହି.ସ.) – ଏନ୍. ଇଇଟି. ୟୁ.ଜି. ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) ଲାତୁରସ୍ଥିତ ଆର. ସି. ସି. କୋଚିଂ ପ୍ରତିଷ୍ଠାନର ମାଲିକ ପ୍ରଫେସର ଶିବରାଜ ମୋତେଗାଓଁକରଙ୍କୁ ଗିରଫ କରିଛି। ଏହି ଅନୁଷ୍ଠାନ ହେଉଛି ନଅଟି ଶାଖା ସହିତ ଏକ ବୃହତ ନିଟ୍ ପ୍ରସ୍ତୁତି ନେଟୱାର୍କ।
ସିବିଆଇ କହିଛି ଯେ ଅନୁସନ୍ଧାନ ସମୟରେ ମୋତେଗାଓଁକରଙ୍କ ପ୍ରତିଷ୍ଠାନ ଏବଂ ଘରୁ ଏକ ରସାୟନ ବିଜ୍ଞାନ ପ୍ରଶ୍ନ ବ୍ୟାଙ୍କ ମିଳିଥିଲା, ଯେଉଁଥିରେ ମଇ ୩ ରେ ଅନୁଷ୍ଠିତ ପରୀକ୍ଷାରେ ପଚରାଯାଇଥିବା ସମାନ ପ୍ରଶ୍ନ ରହିଥିଲା। ଏଜେନ୍ସି ଗତ ୨୪ ଘଂଟା ମଧ୍ୟରେ ପାଂଚଟି ସ୍ଥାନରେ ଚଢ଼ାଉ କରିଛି ଏବଂ ଅନେକ ଡକ୍ୟୁମେଂଟ, ଲାପଟପ୍ ଏବଂ ମୋବାଇଲ୍ ଫୋନ୍ ଜବତ କରିଛି।
ଏଜେନ୍ସି କହିଛି ଯେ ଯେତେବେଳେ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚ ଶିକ୍ଷା ବିଭାଗ ପ୍ରଶ୍ନପତ୍ର ଲିକ୍ ବିଷୟରେ ଅଭିଯୋଗ କଲା ସେତେବେଳେ ମଇ ୧୨ରେ ଏହି ମାମଲା ପଞ୍ଜିକୃତ ହୋଇଥିଲା। ଏପର୍ଯ୍ୟନ୍ତ ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁଣେ, ଲାତୁର ଏବଂ ଅହମ୍ମଦନଗରରୁ ମୋଟ ୧୦ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ନଅ ଜଣଙ୍କୁ କୋର୍ଟରେ ହାଜର କରାଯାଇ ପୋଲିସ୍ ହେପାଜତକୁ ପଠାଯାଇଥିବାବେଳେ ଦଶମ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଉଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି