
ଚମ୍ପୁଆ, 18 ମେ (ହି.ସ.)ଚମ୍ପୁଆ ବନାଞ୍ଚଳ ଏବେ କାଠ ମାଫିଆଙ୍କ ଭୁସ୍ୱର୍ଗ ପାଲଟିଛି। ଦୈନିକ ଦିବାଲୋକରେ ଚମ୍ପୁଆ ବନାଞ୍ଚଳରୁ ଟ୍ରିପ ଟ୍ରିପ ଗଛ ବାହାରକୁ ଚାଲାଣ ହେଉଥିବା ବେଳେ ଏହି ଚାଲାଣ ପଛରେ ଚମ୍ପୁଆ ବନ ବିଭାଗ ଓ ତହସିଲର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ ଅନ୍ତର୍ଗତ କଞ୍ଚନପୁର ଗ୍ରାମରେ ବେନିୟମ କାଠ ଡିପୁ କରି ଟ୍ରକ ଯୋଗେ ବାହାରକୁ ଚୋରା ଚାଲାଣ କରାଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି। କଞ୍ଚନପୁର ଗ୍ରାମର ଦୁଇ ଚାରି ଜଣ ଆଦିବାସୀ ଯୁବକଙ୍କୁ ହାତ କରି କାଠ ମାଫିଆ ମାନେ ନିକଟ ଗ୍ରାମ ମାନଙ୍କରୁ ବେନିୟମ ଭାବେ ଗଛ କାଟି କଞ୍ଚନପୁର ମୁଣ୍ଡା ସାହିରେ ଡିପୁ କରୁଛନ୍ତି ଓ ପରେ ତାକୁ ଟ୍ରକ ସାହାଯ୍ୟରେ ବାହାରକୁ ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି । ବାରମ୍ବାର କାଠ ବୋଝେଇ ଟ୍ରକ ଗ୍ରାମରେ ଚଳା ଚଳ କରିବାରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ଗ୍ରାମ୍ୟରାସ୍ତା ମଧ୍ୟ ଭାଙ୍ଗି ନଷ୍ଟ ହେବାକୁ ବସିଲାଣି। ତେବେ ଦିନ ଦ୍ୱିପ୍ରହରରେ ଖୋଲମଖୋଲା ବଡ଼ ବଡ଼ ଗଛ ସବୁ ଟ୍ରିପ ଟ୍ରିପ ଚାଲାଣ ହେଉଥିଲେ ମଧ୍ୟ ବିଭାଗ ନିଦାବିଷ୍ଣୁ ସାଜିଛି। ଫଳରେ ବିଭାଗୀୟ ଅଧିକାରୀଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି।
ଏ ସମ୍ପର୍କରେ ଚମ୍ପୁଆ ବନପାଳ ଜ୍ୟୋତିରୁପା ପାଣିଙ୍କୁ ପଚାରିବାରୁ ସେମାନେ ପଟା ଜାଗାରୁ କାଟୁଛନ୍ତି ବୋଲି କହିଥିଲେ। ତେବେ ଗଛ କାଟିବାକୁ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛିକି ବୋଲି ପଚାରିବାରୁ କୌଣସି ଅନୁମତି ଦିଆ ଯାଇ ନ ଥିବା କହିଥିବା ବେଳେ ଏଠି ପ୍ରଶ୍ନ ଉଠୁଛି, ଯଦି ଗଛ କାଟିବାକୁ ବିଭାଗ ପକ୍ଷରୁ କୌଣସି ଅନୁମତି ପ୍ରଦାନ କରାଯାଇ ନାହିଁ ତେବେ ଏଠାରେ ଦୀର୍ଘ ଦିନ ଧରି (ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ ହେବ) ମାଫିଆ ମାନେ ବିନା ଅନୁମତିରେ ଗଛ କାଟି ଡିପୁ କରି ଟ୍ରିପ ଟ୍ରିପ କାଠ ବାହାରକୁ ଚାଲାଣ କରୁଥିଲେ ମଧ୍ୟ ବିଭାଗ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହିଁ କାହିଁକି ? ଜଣେ ସାଧାରଣ ଲୋକ ନିଜ ବାସଗୃହ ନିର୍ମାଣ, ମରାମତି କିମ୍ବା ପରିବାରର ଆବଶ୍ୟକତା ମେଣ୍ଟାଇବାପାଇଁ ନିଜ ପଟା ଜାଗା, ବାଡ଼ି ବଗିଚାରୁ ଗଛ ଟିଏ କାଟିଦେଲେ ବନ ବିଭାଗ ଅଧିକାରୀ ମାନେ ତାଙ୍କୁ ବିଭିନ୍ନ ଆଇନ ପାଠ ପଢାଇ ହଇରାଣ ହରକତ କରୁଥିବା ବହୁ ନଜିର ରହିଥିବା ବେଳେ କୌଣସି ନିତି ନିୟମ ମାନୁ ନ ଥିବା ଗଛ ମାଫିଆ ମାନଙ୍କ ପାଇଁ କିନ୍ତୁ ସବୁ ମାଫ କରାଯାଉଛି କାହିଁକି ? କାହାର ଛତ୍ର ଛାୟା ତଳେ ରହି ନିର୍ଦ୍ବନ୍ଦରେ ମାଫିଆ ମାନେ ଗଛ କାଟି ଚାଲିଛନ୍ତି ? ଯାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅନ୍ୟପକ୍ଷେ ଯୋଜନା ବଦ୍ଧ ଭାବେ ବିଭାଗ ପକ୍ଷରୁ କୌଣସି ଅନୁମତି ନ ନେଇ ଏହି ଚମ୍ପୁଆ ଅଞ୍ଚଳରେ ଗଛ ଗୁଡ଼ିକୁ କଟାଯାଇ କଞ୍ଚନପୁର ଗ୍ରାମରେ ଡିପୁ କରିବା ପରେ ଟ୍ରକ ଯୋଗେ ବାହାରକୁ ଚାଲାଣ କରା ଯାଉଥିବା ପଛରେ ଖୋଦ ଚମ୍ପୁଆ ବନ ବିଭାଗ ଓ ତହସିଲର ଭୂମିକା ଥିବା ନେଇ ସାଧାରଣରେ ଆଲୋଚନା ହେଉଛି। କଞ୍ଚନପୁର ମୁଣ୍ଡା ସାହିରେ ଥିବା ପଡିଆ କଡରେ ଅନେକ କଟା ଗଛ କାଠ ଗଣ୍ଡି ଗୁଡିକ ଏବେ ବି ଗଦା ହୋଇ ପଡ଼ି ରହିଛି । ଦିନ ଦ୍ବିପହରରେ ଏହି କାରବାର ଖୋଲାଖୋଲି ହେଉଥିଲେ ମଧ୍ୟ ଅଙ୍କୁଶ ଲଗାଇବା ପାଇଁ କୌଣସି ବିଭାଗ ଗୁରୁତ୍ୱ ଦେଉନାହାନ୍ତି। ଯଦି ଗଛ ମାଫିଆଙ୍କୁ ଅଣଦେଖା କରି ତାଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରା ନ ଯାଏ ତେବେ ଚମ୍ପୁଆ ଅଞ୍ଚଳ ବୃକ୍ଷଶୂନ୍ୟ ହୋଇ ଯିବା ସହିତ ଆଗାମୀ ଦିନରେ ପରିବେଶ ଉପରେ ତାର କୁପ୍ରଭାବ ପଡିବ ଏବଂ ଅଞ୍ଚଳରେ କୃଷି କାର୍ଯ୍ୟ ବ୍ୟାଘାତ ହେବ ବୋଲି ପରିବେଶପ୍ରେମୀ ମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଚମ୍ପୁଆ ବନାଞ୍ଚଳ ଅଧିକାରୀ ଅକ୍ଷୟ ଛତ୍ରିୟାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଗଛ କାଟିବା ପାଇଁ ବିଭାଗୀୟ ଅନୁମତି ଦିଆଯାଇ ନାହିଁ ବୋଲି ସୂଚନା ଦେଇଛନ୍ତି। ତେଣୁ ଏଥିପ୍ରତି ଉଚ୍ଚ କର୍ତ୍ତୁପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସହଯୋଗୀ ଅଧିକାରୀ ଏବଂ ଗଛ ମାଫିଆଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta