
ସୂଚନା ଫଳକରେ କଂକ୍ରିଟ୍ ରାସ୍ତା, ପଡ଼ୁଛି ପେଭରବ୍ଲକ୍
ଚମ୍ପୁଆ, ୧୮ ମଇ(ହି.ସ.) – ଚମ୍ପୁଆ ବ୍ଲକ ଅଂଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଗୁଡିକରେ ବ୍ୟାପକ ଅନିୟମିତତା ହେଉଥିବା ଦେଖିବାକୁ ମିଳିଛି। ସରକାରୀ ନିୟମ ଅନୁଯାୟୀ ଯେକୌଣସି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ ସେଠାରେ ଏକ ସୂଚନା ଫଳକ ଲଗାଇବା ବାଧ୍ୟତାମୂଳକ। କିନ୍ତୁ, ଚମ୍ପୁଆ ବ୍ଲକର ଅଧିକାଂଶ ଉନ୍ନୟନ କର୍ଯ୍ୟରେ ସରକାରୀ ନିୟମକୁ ଉଲଂଘନ କରା ଯାଉଛି। କେଉଁଠି ବିନା ସୂଚନା ଫଳକରେ କାର୍ଯ୍ୟ ଚାଲୁଛି ତ ଆଉ କେଉଁଠି ଏହି ସୂଚନା ଫଳକ କେବଳ ଦେଖଣାହାରୀ ସାଜିଛି। ସୂଚନା ଫଳକରେ ସିସି ରୋଡ୍ ବା କଂକ୍ରିଟ୍ କରଣ ରାସ୍ତା ନିର୍ମାଣ ପାଇଁ ଅନୁଦାନ ଆସିଥିବା ସ୍ପଷ୍ଟ ଭାବେ ଲେଖା ଯାଉଥିବାବେଳେ, କାର୍ଯ୍ୟକ୍ଷେତ୍ରରେ ତାର ଓଲଟା କରା ଯାଉଛି। କଂକ୍ରିଟ୍ ବଦଳରେ ପେଭରବ୍ଲକ୍ ରାସ୍ତା କରି ଅନୁଦାନ ଟଙ୍କାକୁ ଚଳୁ କରାଯାଉଛି। ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଚମ୍ପୁଆ ବ୍ଲକ, ରଜିଆ ପଂଚାୟତ ଅନ୍ତର୍ଗତ ଶଶାଙ୍ଗ ଗ୍ରାମରେ ନିର୍ମାଣ କରାଯାଇଥିବା ପେଭରବ୍ଲକ ରାସ୍ତା। ସୂଚନା ଫଳକ ଅନୁସାରେ, ଆର୍ôଥକ ବର୍ଷ ୨୦୨୫-୨୬ ରେ ଶଶାଙ୍ଗ ଗ୍ରାମର ଜଙ୍ଗଲ ଶେଷ ଠାରୁ ଜୟଚନ୍ଦ୍ର ଘର ପର୍ଯ୍ୟନ୍ତ ରାସ୍ତାର କଂକ୍ରିଟକରଣ ନିମନ୍ତେ ଅଟକଳ ପରିମାଣ ପାଂଚ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି। ତେବେ ଏହି କାର୍ଯ୍ୟର କାର୍ଯ୍ୟନିର୍ବାହୀ ସଂସ୍ଥା ଖୋଦ ପଂଚାୟତ ସମିତି ଚମ୍ପୁଆ ରହିଥିବା ବେଳେ ଏଠାରେ ରାସ୍ତାକୁ କଂକ୍ରିଟ କରଣ ନକରି ପେଭରବ୍ଲକ ବିଛା ଯାଇଛି। ସୂଚନା ଫଳକରେ ଅଲଗା ଦର୍ଶାଇ ଅଲଗା କାମ କରି ବିଭାଗୀୟ ଅଧିକାରୀମାନେ ମାଲେମାଲ ହେଉଥିଲେ ମଧ୍ୟ ବ୍ଲକ ପ୍ରଶାସନ ନିରବଦ୍ରଷ୍ଟା ପାଲଟିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କଂକ୍ରିଟ୍ ରାସ୍ତା ତୁଳନାରେ ପେଭର ବ୍ଲକ୍ର ସ୍ଥାୟୀତ୍ୱ କମ୍ ଏବଂ ଏଥିରେ ବ୍ୟାପକ ପିସି କାରବାରର ସୁଯୋଗ ରହୁଛି। ତେଣୁ ବିଭାଗୀୟ ଅଧିକାରୀମାନେ ଜାଣି ଶୁଣି ଚଂଚକତା କରୁଛନ୍ତି। ଗ୍ରାମାଂଚଳର ବିକାଶ ପାଇଁ ଆସୁଥିବା ସରକାରୀ ଅର୍ଥର ଏଭଳି ଅପବ୍ୟବହାର ହେଉଥିଲେ ମଧ୍ୟ ବ୍ଲକ ପ୍ରଶାସନ ସବୁ ଜାଣିଶୁଣି ନିରବଦ୍ରଷ୍ଟା ସାଜିବା ପଛର ରହସ୍ୟ କଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସାଂଘାତିକ ନିୟମ ଉଲ୍ଲଂଘନ ଏବଂ ସରକାରୀ ଅର୍ଥର ଅପବ୍ୟବହାର ସମ୍ପର୍କରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହିତ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta