




ସମ୍ବଲପୁର,୧୮, ମେ (ହି.ସ.) ଜିଲ୍ଲାରୁ ଚୋରା ଚାଲାଣ ଥମିବାର ନାଁ ନେଉନାହିଁ । ନିଶା କାରବାର ଠାରୁ ଆରମ୍ଭ କରି ମୋଟା ଅଙ୍କର ଅର୍ଥ ରୋଜଗାର ଯୋଗାଉଥିବା ପ୍ରତ୍ୟେକ ଜିନିଷ ଚୋରା ଚାଲାଣ କରି ରାତାରାତି ବଡ଼ଲୋକ୍ ହେବାର ନିଶା ଯୁବବର୍ଗଙ୍କୁ ଘାରିଛି । କିଛି ଦିନ ତଳେ ଜାଳେଣୀ ଗ୍ୟାସର କୃତ୍ରିମ ଅଭାବ ଦର୍ଶାଇ ନିର୍ଦ୍ଦିଷ୍ଟ କେତେକ ମାଫିଆ ଜୋରଦାର କଳାବଜାରୀ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ଧରପଗଡ କରାଯାଇ ଦମନ କରାଯାଇଥିଲା। ନିକଟରେ ରେଢ଼ାଖୋଲ ଠାରେ ଜାଳେଣୀ ଗ୍ୟାସ ସିଲିଣ୍ଡର ଜବତ ଓ ଗିରଫଦାରୀ ସରିବା ପରେ ପରେ ଏବେ କୁଚିଣ୍ଡା ଅଂଚଳରେ କିଛି ମାଫିଆ ଜାଳେଣୀ ଗ୍ୟାସର କଳାବଜାରୀ କରୁଥିବା ଅଭିଯୋଗ ହୋଇଛି । ଏହିଭଳି ଅଭିଯୋଗ ପାଇବା ପରେ ଆଜି କୁଚିଣ୍ଡା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କୁଚିଣ୍ଡା ସହରର ବିଭିନ୍ନ ହୋଟେଲ ଓ ରେଷ୍ଟୁରାଂଟରେ ଘରୋଇ ଏଲପିଜି ସିଲିଣ୍ଡରର ଅବୈଧ ବ୍ୟବହାର ଉପରେ ଜୋରଦାର୍ ଚଢାଉ କରାଯାଇଥିଲା। ଏହି ଚଢାଉ ଦଳର ନେତୃତ୍ୱ ଖୋଦ୍ ଡେପୁଟି କଲେକ୍ଟର ସଞ୍ଜୟ ମିଶ୍ର ନେଇଥିବା ବେଳେ ସହକାରୀ କଲେକ୍ଟର ଲୋଚନ ଶବର ଓ କୁଚିଣ୍ଡା ଏସିଏସଓ ରାଜକିଶୋର ସ୍ୱାଇଁ ଯୋଗ ଦେଇଥିଲେ ।ଚଢାଉରେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଂଟରୁ ମୋଟ ୨୦ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ କରାଯାଇଥିଲା। ସେଥିମଧ୍ୟରୁ ସାହୁ ହୋଟେଲରୁ ୨ଟି, ହୋଟେଲ ରୟାଲ ଗ୍ୟାଲେକ୍ସିରୁ ୮ଟି, ହୋଟେଲ ତିଲକରୁ ୫ଟି, ରୋଷାଇ ରେଷ୍ଟୁରାଂଟରୁ ୩ଟି ଓ ଟାଉନ ହୋଟେଲରୁ ୨ଟି ଘରୋଇ ସିଲିଣ୍ଡର ଜବତ କରାଯାଇଥିଲା । ଘରୋଇ ସିଲିଣ୍ଡର ଗୁଡ଼ିକୁ କିପରି ବାଣିଜ୍ୟିକ କାମରେ ବିନିଯୋଗ କରିବା ପାଇଁ କିଏ କୋଉଠୁ କିପରି ଯୋଗାଣ କରୁଛି ସେନେଇ ଯୋଗାଣ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏଭଳି ଯାଂଚ ଓ ଚଢାଉ ଅଭିଯାନ ଜାରି ରହିବ ବୋଲି ସୂଚନା ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ