
ଚାଷୀଙ୍କୁ ଡବା ଓ ଜାର୍କିନରେ ଡିଜେଲ ଯୋଗାଣ ଦାବୀ
ଝାରସୁଗୁଡ଼ା, , 18 ମେ (ହି.ସ.): ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ରେଙ୍ଗାଲବେଡାସ୍ଥିତ ଚନ୍ଦ୍ରଶେଖର ଫିଲିଙ୍ଗ ଷ୍ଟେସନରୁ ବ୍ଲକର ଚାଷୀମାନଙ୍କୁ ଚାଷ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ଡିଜେଲ ଯୋଗାଇବାକୁ ଦାବୀ ଜୋର ଧରିଛି। ଏନେଇ ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ଚାଷୀମାନଙ୍କ କହିବା ଅନୁଯାୟୀ, ଲଇକେରା ବ୍ଲକରେ ଚନ୍ଦ୍ରଶେଖର ଫିଲିଙ୍ଗ ଷ୍ଟେସନ ହେଉଛି ଏକମାତ୍ର ପେଟ୍ରୋଲ ପମ୍ପ। ଗ୍ରାମୀଣ ଅଞ୍ଚଳର ଚାଷୀମାନଙ୍କୁ ମୁଖ୍ୟତଃ ଡିଜେଲ ଯୋଗାଣ ସୁବିଧା ଦେବା ଉଦ୍ଦେଶ୍ୟରେ ଏହି ପମ୍ପକୁ ସରକାରୀ ଅନୁମୋଦନ ମିଳିଥିଲା। କିନ୍ତୁ ବର୍ତ୍ତମାନ ଚାଷୀମାନଙ୍କୁ ଡିଜେଲ ଦେବାରେ ବିଭିନ୍ନ କଟକଣା କରାଯାଉଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ବିଭିନ୍ନ ଠିକା ସଂସ୍ଥା ଓ ଶିଳ୍ପ ପ୍ରତିଷ୍ଠାନକୁ ବିନା କଟକଣାରେ ସହଜରେ ଡିଜେଲ ଯୋଗାଇ ଦିଆଯାଉଥିବା ବେଳେ ଚାଷୀମାନଙ୍କୁ ଡବା କିମ୍ବା ଜାର୍କିନ୍ରେ ଡିଜେଲ ଦିଆଯାଉନାହିଁ। ଡିଜେଲ ନେବା ପାଇଁ ଟ୍ରାକ୍ଟର, ପାୱାର ଟିଲର ଭଳି ଯାନବାହନକୁ ପମ୍ପକୁ ଆଣିବାକୁ କୁହାଯାଉଛି।
ବ୍ଲକର ୧୧ଟି ପଞ୍ଚାୟତର ଚାଷୀମାନେ ଏହି ପେଟ୍ରୋଲ ପମ୍ପ ଉପରେ ନିର୍ଭରଶୀଳ ଥିବା ବେଳେ ଛୋଟ ଚାଷ ଯନ୍ତ୍ରାଂଶକୁ ପମ୍ପ ପର୍ଯ୍ୟନ୍ତ ଆଣିବା ଅନେକ ସମୟରେ ସମ୍ଭବ ହୋଇପାରୁନାହିଁ। ଏଥିପାଇଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସହ ଚାଷୀମାନେ ହଇରାଣ ହେଉଛନ୍ତି।
ଏଣୁ ଚାଷ କାର୍ଯ୍ୟର ସୁବିଧା ଓ ସମୟ ସଞ୍ଚୟ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ଡବା ଓ ଜାର୍କିନ୍ରେ ଡିଜେଲ ଯୋଗାଇବାକୁ ଦାବୀ କରାଯାଇଛି। ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିରରେ ଚାଷୀ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ଏହି ଦାବୀପତ୍ର ପ୍ରଦାନ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ