
ଜୟପୁର, 18 ମେ (ହି.ସ.) -ଜୟପୁର ଠାରେ ଚାଲୁଥିବା ଏଟିସି କ୍ୟାମ୍ପରେ ଅଗ୍ନିନିର୍ବାପଣ ସଚେତନତା ଓ ପ୍ରଶିକ୍ଷଣ କାର୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ୟକ୍ରମକୁ ଏଏଫଓ ସୁରେଶ କୁମାର ବାରିକ ଓ ତାଙ୍କ ଦଳ ନେତୃତ୍ୱ ଦେଇଥିଲେ। କ୍ୟାମ୍ପରେ ଅଂଶଗ୍ରହଣ କରୁଥିବା କ୍ୟାଡେଟମାନଙ୍କୁ ଅଗ୍ନିକାଣ୍ଡ ସମୟରେ କିପରି ସତର୍କ ରହିବା ଓ ତୁରନ୍ତ ପଦକ୍ଷେପ ନେବା ଉଚିତ ସେଥିପାଇଁ ପ୍ରାୟୋଗିକ ଭାବେ ପ୍ରଶିକ୍ଷଣ ଦିଆଯାଇଥିଲା।ଏଏଫଓ ସୁରେଶ କୁମାର ବାରିକ ଅଗ୍ନିନିର୍ବାପଣ ଯନ୍ତ୍ରର ସଠିକ ବ୍ୟବହାର, ଗ୍ୟାସ ସିଲିଣ୍ଡର ଜନିତ ଅଗ୍ନିକାଣ୍ଡ ନିୟନ୍ତ୍ରଣ, ବିଦ୍ୟୁତ ଶର୍ଟସର୍କିଟ ଯୋଗୁଁ ଲାଗୁଥିବା ନିଆଁରୁ ସୁରକ୍ଷା ଓ ଆପତ୍କାଳୀନ ପରିସ୍ଥିତିରେ ଲୋକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ବିଷୟରେ କ୍ୟାଡେଟମାନଙ୍କୁ ଅବଗତ କରାଇଥିଲେ। ତାଙ୍କ ଦଳ ପକ୍ଷରୁ ଡେମୋନଷ୍ଟ୍ରେସନ ମାଧ୍ୟମରେ ଅଗ୍ନିନିର୍ବାପଣର ବିଭିନ୍ନ ପ୍ରକ୍ରିୟା ଦେଖାଯାଇଥିଲା।କ୍ୟାଡେଟମାନେ ଉତ୍ସାହର ସହିତ ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିଲେ ଓ ଏହା ମାଧ୍ୟମରେ ଆପତ୍କାଳୀନ ସମୟରେ ସାହସ ଓ ସଚେତନତା ସହ କାର୍ୟ କରିବା ପାଇଁ ପ୍ରେରଣା ପାଇଥିଲେ। କ୍ୟାମ୍ପ କର୍ତ୍ତୃପକ୍ଷ ଏଏଫଓ ସୁରେଶ କୁମାର ବାରିକ ଓ ତାଙ୍କ ଦଳଙ୍କୁ ଏପରି ଉପଯୋଗୀ ପ୍ରଶିକ୍ଷଣ ପାଇଁ କୃତଜ୍ଞତା ଜଣାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି