
ଓସ୍ଲୋ, ୧୮ ମଇ (ହି.ସ.) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୋମବାର ଦିନ ନରୱେର ସର୍ବୋଚ୍ଚ ନାଗରିକ ସମ୍ମାନ 'ଗ୍ରାଣ୍ଡ କ୍ରସ୍ ଅଫ୍ ଦ ରୟାଲ ନରୱେଜ୍ ଅର୍ଡର ଅଫ୍ ମେରିଟ୍' ପ୍ରଦାନ କରାଯାଇଛି। ଏହା ହେଉଛି 32ତମ ଅନ୍ତର୍ଜାତୀୟ ସମ୍ମାନ ଯାହା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଛି।
'ଗ୍ରାଣ୍ଡ କ୍ରସ୍' ହେଉଛି ରୟାଲ ନରୱେଜ୍ ଅର୍ଡର ଅଫ୍ ମେରିଟର ସର୍ବୋଚ୍ଚ ମାନ୍ୟତା। ନରୱେ ସ୍ୱାର୍ଥ ଏବଂ ଆନ୍ତର୍ଜାତୀୟ ସମ୍ପର୍କକୁ ଆଗକୁ ନେବାରେ ଅସାଧାରଣ ଅବଦାନ ପାଇଁ ଏହି ସମ୍ମାନ ଦିଆଯାଇଥାଏ ।
ଭାରତ-ନରୱେ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ବିଶ୍ୱ ନେତୃତ୍ୱରେ ଯୋଗଦାନ ପାଇଁ ନରୱେର ରାଜା ପଞ୍ଚମ ହାରାଲ୍ଡ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।
ଏହି ସମ୍ମାନ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଥିଲେ ଯେ ଏହି ସମ୍ମାନ ଗ୍ରହଣ କରି ସେ ସମ୍ମାନିତ ଅନୁଭବ କରୁଛନ୍ତି। ଏହି ସମ୍ମାନ ଭାରତର ଜନସାଧାରଣଙ୍କୁ ସମର୍ପିତ ଏବଂ ଏହା ଭାରତ ଓ ନରୱେ ମଧ୍ୟରେ ସ୍ଥାୟୀ ବନ୍ଧୁତ୍ୱର ପ୍ରତୀକ। ଏହା ବୈଶ୍ୱିକ ପ୍ରଗତି ପ୍ରତି ଉଭୟ ଦେଶର ସହଭାଗୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଏକ୍ସରେ କହିଛନ୍ତି ଯେ ଏହା ବନ୍ଧୁତ୍ୱର ଏକ ସ୍ୱତନ୍ତ୍ର ଉପହାର। ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମାନକୁ ଭାରତ ଏବଂ ନରୱେ ମଧ୍ୟରେ ଐତିହାସିକ ସମ୍ପର୍କକୁ ଉତ୍ସର୍ଗ କରିଥିଲେ ଏବଂ ଏହାକୁ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସ୍ନେହ ଏବଂ ସଦ୍ଭାବନାର ପ୍ରତୀକ ବୋଲି ବର୍ଣ୍ଣନା କରିଥିଲେ।
ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱିଡେନର ସମ୍ମାନଜନକ 'ରୟାଲ ଅର୍ଡର ଅଫ୍ ଦ ପୋଲାର ଷ୍ଟାର, ଡିଗ୍ରୀ କମାଣ୍ଡର ଗ୍ରାଣ୍ଡ କ୍ରସ୍' ପ୍ରଦାନ କରାଯାଇଥିଲା।
--------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ