
କେନ୍ଦ୍ରାପଡ଼ା, ୧୮ ମଇ(ହି.ସ.) – ଗରଦପୁର ଅଂଚଳରେ କିଛି ଲୋକଙ୍କ ପାଖକୁ ଫୋନ କଲ୍ ଯାଇ “କେୱାଇସି ଅପଡେଟ୍ ନାଁରେ ବ୍ୟାଙ୍କକୁ ଡକାଯାଉଥିବା ଅଭିଯୋଗ ଆସୁଛି। ହେଲେ ବ୍ୟାଙ୍କକୁ ପହଂଚିବା ପରେ “କେୱାଇସି ନୁହେଁ, ବରଂ ବୀମା ପଲିସି କରାଇବାକୁ ଚାପ ପକାଯାଉଥିବା କୁହାଯାଉଛି। ଅଭିଯୋଗ ଅନୁସାରେ, “ବର୍ଷକୁ ୫୦ ହଜାର ଟଙ୍କା ୭ ବର୍ଷ ଦିଅନ୍ତୁ, ୧୫ ବର୍ଷ ପରେ ୮ ଲକ୍ଷ ମିଳିବ ଏବଂ ୧୦ ଲକ୍ଷର ବୀମା ସୁବିଧା ରହିବ”ବୋଲି କହି ଲୋକଙ୍କୁ ପ୍ରଲୋଭନ ଦିଆଯାଉଛି। ଅନେକ ସମୟରେ ସାଧାରଣ ଲୋକଙ୍କୁ ଭୟ ଦେଖାଇ କିମ୍ବା ଭ୍ରମ ସୃଷ୍ଟି କରି ପଲିସି କରାଯାଉଥିବା ଚର୍ଚ୍ଚା ହେଉଛି। ସବୁଠାରୁ ଚିନ୍ତାର ବିଷୟ ହେଲା, ଗରଦପୁର ବ୍ଲକ ଅଧୀନ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କରେ ଅନ୍ୟ ଏକ ବ୍ୟାଙ୍କର କର୍ମଚାରୀ ବସି ଏହିଭଳି କାର୍ୟ୍ୟ କରୁଥିବା ଅଭିଯୋଗ ମଧ୍ୟ ଆସୁଛି। ଦୂରଦୂରାନ୍ତରୁ ଲୋକଙ୍କୁ ଡକାଯାଉଥିଲେ ମଧ୍ୟ ପରେ “କେୱାଇସି ଦରକାର ନାହିଁ” ବୋଲି କୁହାଯାଉଥିବା ଲୋକଙ୍କ ସନ୍ଦେହ ବଢ଼ାଇଛି। ସତର୍କ ରୁହନ୍ତୁ:କୌଣସି ଅଜଣା ଫୋନ କଲ୍ରେ ଅନ୍ଧାଭାବେ ବିଶ୍ୱାସ କରନ୍ତୁ ନାହିଁ।“କେୱାଇସି ନାଁରେ ଡକାଗଲେ ପ୍ରଥମେ ସମ୍ପୃକ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ସହ ସିଧାସଳଖ କଥା ହୁଅନ୍ତୁ। କୌଣସି କାଗଜରେ ଦସ୍ତଖତ କରିବା ପୂର୍ବରୁ ଭଲଭାବେ ପଢ଼ନ୍ତୁ। ବୀମା କରିବା ପୂର୍ବରୁ ପଲିସିର ସମସ୍ତ ନିୟମ ଓ ସର୍ତ ବୁଝନ୍ତୁ। ଜନସାଧାରଣଙ୍କ ସଚେତନତା ହିଁ ଏଭଳି ଘଟଣାକୁ ରୋକିପାରିବ।
.......................................
ହିନ୍ଦୁସ୍ଥାନ ସମାଚାର / ରବି