



ସମ୍ବଲପୁର, ୧୮, ସେ (ହି.ସ.) - ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାରେ ନବୀନ ସରକାର ଯେଉଁ ସ୍ୱଚ୍ଛ ଓ ନିର୍ମଳ ସରକାର ତଥା ରାମ ରାଜ୍ୟର ଶାସନ ଦେଇ ଆସୁଥିଲେ ତାହା ଏବେ ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି । ମିଠା ମିଠା କଅଁଳିଆ ପ୍ରତିଶ୍ରୁତି ଦେଇ ଶାସନ କଳକୁ ଆସିବା ପରେ ବର୍ତମାନର ସରକାର ରାବଣ ଭଳି କୁରୁଶାସନ ଚଳାଇଛି । ଏବେ ରାଜ୍ୟରେ ଆବାଳ ବୃଦ୍ଧ ବନିତା କେହି ବି ସୁରକ୍ଷିତ ନାହାଁନ୍ତି । ପ୍ରତିଦିନ ମାଁ ମାନଙ୍କ ପ୍ରତି ନିର୍ଯ୍ୟାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟା ଭଳି ଅପରାଧ ଘଟି ଚାଲିଛି ବୋଲି ଆଜି ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ ବିଷୋଦଗାର କରିଛନ୍ତି । ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ନାରୀ ସୁରକ୍ଷା ନେଇ ନାରୀ ଅଧିକାର ଅଭିଯାନ ଆରମ୍ଭ ହୋଇଥିବା ବେଳେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ଆଜି ଶତାଧିକ ମହିଳାଙ୍କ ସମାବେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଜେଡ଼ିର ଟାଣୁଆ ମହିଳା ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏହି ସମାବେଶରେ ଯୋଗ ଦେଇ ବର୍ତମାନର ସରକାର ଶାସନ କଳକୁ ଆସିବା ପରଠାରୁ ନାରୀ ନିର୍ଯ୍ୟାତନା ମାତ୍ରାଧିକ ବେଗରେ ବୃଦ୍ଧି ପାଉଥିବା ନେଇ ଆରୋପ କରିଥିଲେ । ଏପରିକି ଜାତୀୟ ସ୍ତରୀୟ ଏକ ସଂସ୍ଥାର ରିପୋର୍ଟ ଉପସ୍ଥାପନ କରି ମହିଳାଙ୍କ ପ୍ରତି ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ନିର୍ଯ୍ୟାତନା ସମଗ୍ର ଦେଶରେ ଓଡ଼ିଶା ଏକ ନମ୍ବରରେ ରହିଛି ବୋଲି ଦୋଷାରୋପ କରିଥିଲେ । ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ନିଜ ବକ୍ତବ୍ୟରେ ବର୍ତମାନ ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ପ୍ରତି ବଢ଼ୁଥିବା ନିର୍ଯ୍ୟାତନାକୁ ନିନ୍ଦା କରିବା ସହ ଏହାକୁ ଦୃଢ଼ ଭାବରେ ବିରୋଧ କରିବାକୁ ମହିଳା ମାନଙ୍କୁ ଆହ୍ୱାନ ଦେଇଥିଲେ । ପ୍ରତ୍ୟେକ ମହିଳା ନିଜେ ନିଜକୁ ଚିହ୍ନି, ନିଜ ଦକ୍ଷତା ଅନୁଯାୟୀ ଘର ପରିବାର ଓ ସମାଜ ପାଇଁ କିଛି କିଛି କର୍ତବ୍ୟ କରିବାର ସମୟ ପହଂଚି ଯାଇଛି । ଶାସନ କଳକୁ ହାତେଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ମହିଳାଙ୍କ ସୁରକ୍ଷା, ଆତ୍ମନିର୍ଭରଶୀଳ ହେବାପାଇଁ ବହୁ ମିଠା ମିଠା ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଶାସନ କଳକୁ ଆସିବା ପରେ ନେତାଙ୍କ ଠାରୁ ଆରମ୍ଭ କରି ଦଳର ଆଭିମୁଖ୍ୟ କିପରି ବଦଳି ଯାଏ ତାହା ପ୍ରତ୍ୟେକ ମହିଳାମାନେ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ନେତାମାନେ ସଭାରେ ଆହ୍ୱାନ ଦେଇଥିଲେ । ସେହିପରି ସଭାସ୍ଥଳୀ ଠାରୁ ଅନତୀ ଦୂରରେ ବସିଥିବା କେତେକ ଯୁବଗୋଷ୍ଠୀ ବର୍ତମାନର ରାଜନୈତିକ ଦାଓପେଂଚକୁ ଅନୁଧ୍ୟାନ କରି ପ୍ରତ୍ୟେକ ରାଜନୈତିକ ଦଳ ମହିଳାଙ୍କୁ ଆକର୍ଷଣ ଓ ପ୍ରଲୋଭନ ଦେଖାଇ ସମର୍ଥନ ଗୋଟାଇବାରେ ଚେଷ୍ଟା କରୁଥିବା କହିଥିଲେ । ଏବେ ଯେଉଁ ବିଜେଡ଼ି 'ମହିଳା ନିର୍ଯ୍ୟାତନା ବିରୋଧ'ରେ ପ୍ରତିବାଦର ସ୍ୱର ଉତୋଳନ କରୁଛି ନିଜ ଶାସନ କାଳରେ କାହିଁକି ନୀରବ ଦ୍ରଷ୍ଟା ସାଜୁଥିଲା ସେ ନେଇ ମଧ୍ୟ ତେର୍ଛାବାଣ ମାରିଥିଲେ । ମୋଟାମୋଟି ଭାବରେ ନିର୍ବାଚନ ପରେ ଆଜିର ଏହି ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଦୀର୍ଘ ଦିନ ପରେ ପୁଣିଥରେ ଜନମାନସରେ ବିଜେଡି ନିଜର ଉପସ୍ଥିତି ଜାହିର କରିଥିବା କୁହାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ