
ଭୁବନେଶ୍ୱର, ୧୮ ମଇ (ହି.ସ.) - ଓଡ଼ିଶାର କ୍ରମବିକଶିତ ସହରାଂଚଳ ଶାସନ ଗଠନତନ୍ତ୍ର ଏବଂ ନାଗରିକ-କେନ୍ଦ୍ରିକ ଆଭିମୁଖ୍ୟ ବିଷୟରେ ବିସ୍ତୃତ ଧାରଣା ପ୍ରଦାନ କରିବା ଉଦ୍ଦେଶ୍ୟରେ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା କ୍ୟାଡରର ୨୦୨୫ ବ୍ୟାଚ୍ ର ୬ ଜଣ ଆଇଏଏସ୍ ପ୍ରୋବେସନରଙ୍କ ପାଇଁ ଏକ ଓରିଏେଂଟସନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ପୌରପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ବିଭାଗୀୟ ମୁଖ୍ୟମାନେ ଯୋଗଦେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ କାର୍ଯ୍ୟକଳାପ, ଫ୍ଲାଗସିପ୍ କାର୍ଯ୍ୟକ୍ରମ ଏବଂ ଆନୁଷ୍ଠାନିକ ବ୍ୟବସ୍ଥା ବିଷୟରେ ଉପସ୍ଥାପନା କରିଥିଲେ।
ଏହି ଆଲୋଚନା ସମୟରେ ‘ଟିମ୍ ଅର୍ବାନ୍’ ପକ୍ଷରୁ ପ୍ରୋବେସନରମାନଙ୍କୁ ସହରାଂଚଳର ପ୍ରମୁଖ ଯୋଜନା ଯଥା— ସୁଲଭ ମୂଲ୍ୟରେ ବାସଗୃହ, ଜଳ ଯୋଗାଣ, ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା, ସହରାଂଚଳ ଭିତିଭୂମି ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ଶାସନ ପ୍ରଣାଳୀ ବିଷୟରେ ଅବଗତ କରାଯାଇଥିଲା। ସମନ୍ୱିତ କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ମାଧ୍ୟମରେ ନୀତିଗତ ନିଷ୍ପତିଗୁଡ଼ିକୁ କିଭଳି ପ୍ରଭାବଶାଳୀ ଜନସେବାରେ ରୂପାନ୍ତରିତ କରାଯାଉଛି, ସେ ସମ୍ପର୍କରେ ଅଧିକାରୀମାନେ ବୁଝାଇଥିଲେ।
ଦ୍ରୁତ ସହରୀକରଣର ଆହ୍ୱାନଗୁଡ଼ିକୁ ସମ୍ଭାଳିବା ପାଇଁ ସହାନୁଭୂତିପୂର୍ଣ୍ଣ, ପ୍ରତିକ୍ରିୟାଶୀଳ ଏବଂ ହିତାଧିକାରୀ-କେନ୍ଦ୍ରିକ ଶାସନର ଆବଶ୍ୟକତା ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ଉନ୍ନତ ସହରାଞ୍ଚଳ ସେବା ପ୍ରଦାନ ପାଇଁ ନୂତନତ୍ୱ, ତଥ୍ୟ-ଆଧାରିତ ଯୋଜନା ଏବଂ ଆନ୍ତଃ-ବିଭାଗୀୟ ସମନ୍ୱୟର ବ୍ୟବହାର କରିବା ସହ ତୃଣମୂଳ ସ୍ତରର ବାସ୍ତବତା ସହିତ ଜଡ଼ିତ ରହିବାକୁ ଯୁବ ଅଧିକାରୀମାନଙ୍କୁ ଉତ୍ସାହିତ କରାଯାଇଥିଲା।
ଆଲୋଚନାଚକ୍ର ପରେ, ପ୍ରୋବେସନରମାନଙ୍କୁ ଆହାର କେନ୍ଦ୍ର, ବିଏସ୍ଏବିଟି ପରିସରକୁ ନିଆଯାଇଥିଲା। ସେଠାରେ ସେମାନେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ସହରାଂଚଳ ସେବା ପ୍ରଦାନ ପ୍ରଣାଳୀ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ଶାସନ ବ୍ୟବସ୍ଥାର ବାସ୍ତବିକ କାର୍ଯ୍ୟଧାରାକୁ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିଥିଲେ।)
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା