
ମାଲକାନଗିରି , ୧୮ ମଇ (ହି.ସ.) ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଲକାନଗିରି ପକ୍ଷରୁ ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଦିଆଯାଇଛି ଯେସୁପ୍ରିମ୍ କୋର୍ଟରେ ଏକ ସ୍ୱତନ୍ତ୍ର 'ସମାଧାନ ସମାରୋହ ୨୦୨୬' (ସ୍ୱତନ୍ତ୍ର ଲୋକ ଅଦାଲତ) ଆୟୋଜନ କରାଯାଉଛି।
ସର୍ବସାଧାରଣଙ୍କୁ ସହଜ ଏବଂ ତ୍ୱରିତ ନ୍ୟାୟ ପ୍ରଦାନ କରିବା ସହ ଘର ଦୁଆରେ ନ୍ୟାୟ ପହଞ୍ଚାଇବା ଲକ୍ଷ୍ୟରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମ୍ କୋର୍ଟ) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି ଅଭିଯାନ ଚଳିତ ଏପ୍ରିଲ ୨୧ ତାରିଖରୁ ଆରମ୍ଭ ହୋଇସାରିଥିବା ବେଳେ ଆସନ୍ତା ଅଗଷ୍ଟ ୨୧, ୨୨ ଏବଂ ୨୩ ତାରିଖରେ ସ୍ୱତନ୍ତ୍ର ଲୋକ ଅଦାଲତ ବସିବ।
ସୁପ୍ରିମ୍ କୋର୍ଟରେ ଦୀର୍ଘ ଦିନରୁ ବିଚାରାଧୀନ ଥିବା ମାମଲାଗୁଡ଼ିକର ଉଭୟ ପକ୍ଷଙ୍କ ସମ୍ମତି କ୍ରମେ ଆପୋଷ ସମାଧାନ କରିବା ଏହି ଲୋକ ଅଦାଲତର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ଅଂଶଗ୍ରହଣ କରିବା ପାଇଁ ସମସ୍ତ ଅଧିବକ୍ତା, ମାମଲାଧାରୀ ଏବଂ ସମ୍ପୃକ୍ତ ପକ୍ଷମାନଙ୍କୁ ଅନୁରୋଧ କରାଯାଇଛି। ସବୁଠାରୁ ବଡ଼ ସୁବିଧା ହେଉଛି, ପକ୍ଷମାନେ ଚାହିଁଲେ ନୂଆଦିଲ୍ଲୀ ସ୍ଥିତ ସୁପ୍ରିମ୍ କୋର୍ଟରେ ଶାରୀରିକ ଭାବେ ଉପସ୍ଥିତ ରହିପାରିବେ କିମ୍ବା ଅନଲାଇନ୍ ମାଧ୍ୟମରେ ଆଭାସୀ (ଭର୍ଚୁଆଲ୍) ଭାବେ ଯୋଡ଼ି ହୋଇ ନିଜ ବିବାଦର ସହଜ ସମାଧାନ କରିପାରିବେ।
ଏହି ସମାଧାନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆବେଦନକାରୀ କିମ୍ବା ସେମାନଙ୍କ ଓକିଲ ସୁପ୍ରିମ୍ କୋର୍ଟର ସରକାରୀ ୱେବସାଇଟ୍( ଡବ୍ଲୁ ଡବ୍ଲୁ ଡବ୍ଲୁ. ଏସ ସି ଆଇ. ଜିଓଭି. ଇନ ) କୁ ଯାଇ ସେଠାରେ ଉପଲବ୍ଧ ଗୁଗଲ୍ ଫର୍ମ ପୂରଣ କରିପାରିବେ। ଏହି ଫର୍ମ ଦାଖଲ କରିବାର ଶେଷ ତାରିଖ ୨୦୨୬ ମଇ ୩୧ ସୁଦ୍ଧା ଧାର୍ଯ୍ୟ କରାଯାଇଛି।
ମାଲକାନଗିରି ଜିଲ୍ଲାର ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଲକାନଗିରି ପକ୍ଷରୁ ମଧ୍ୟ ବିଶେଷ ସହାୟତା ଯୋଗାଇ ଦିଆଯାଉଛି। ସ୍ଥାନୀୟ ମାମଲାଧାରୀମାନେ ଏହି ସ୍ୱତନ୍ତ୍ର ଲୋକ ଅଦାଲତ ସମ୍ବନ୍ଧୀୟ ଯେକୌଣସି ତଥ୍ୟ, ପଞ୍ଜୀକରଣ କିମ୍ବା ମାର୍ଗଦର୍ଶନ ପାଇଁ ସିଧାସଳଖ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ। ଆବେଦନକାରୀମାନେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଲକାନଗିରିର ସରକାରୀ ଇମେଲ୍ ଆଇଡି ଡ଼ିଏଲ ଏସ ଏମକେଜି @ ଜି ମେଲ ମାଧ୍ୟମରେ କିମ୍ବା ପ୍ରାଧିକରଣର ସଚିବଙ୍କ ମୋବାଇଲ୍ ନମ୍ବର୮୭୬୩୧୦୨୧୯୯ ଏବଂ ଜୁନିଅର ଆସିଷ୍ଟାଣ୍ଟଙ୍କ ନମ୍ବର ୭୦୭୭୭୨୨୭୩୨ ରେ ଯୋଗାଯୋଗ କରି ନିଜ ସମସ୍ୟାର ସମାଧାନ ପାଇଁ ସହାୟତା ଲୋଡ଼ିପାରିବେ।
ଲୋକ ଅଦାଲତ ସମ୍ବନ୍ଧୀୟ ଜାତୀୟ ସ୍ତରୀୟ ସୂଚନା ବା ସହାୟତା ପାଇଁ ସୁପ୍ରିମ୍ କୋର୍ଟ ପକ୍ଷରୁ 'ୱାନ୍ ଷ୍ଟପ୍ ସେଣ୍ଟର' (ୱାର୍ ରୁମ୍) ମଧ୍ୟ ପ୍ରତିଷ୍ଠା କରାଯାଇଛି। ଆବେଦନକାରୀମାନେ ୱାର୍ ରୁମ୍ ପ୍ରଭାରୀଙ୍କ ନମ୍ବର ୦୧୧-୨୩୧୨୨୪୨୮ ,୦୧୧-୨୩୧୧୨୫୨୮ କିମ୍ବା ଲ୍ୟାଣ୍ଡଲାଇନ୍ ନମ୍ବର ୦୧୧-୨୩୧୧୬୪୬୪, ୦୧୧-୨୩୨୧୬୪୬୫-ଏବଂ ଇମେଲ ସ୍ପେସିଆଲ ଲୋକ ଅଦାଲତ ୨୦୨୬@ଏସସିଆଇ. ଏନଆଇସି. ଇନ ଜରିଆରେ ଯୋଗାଯୋଗ କରିପାରିବେ। ସୁପ୍ରିମ୍ କୋର୍ଟ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏହି ସୂଚନାକୁ ଜନହିତରେ ଜାରି କରାଯାଇଛି ଏବଂ ସମସ୍ତ ବିଚାରାଧୀନ ମାମଲାର ଶୀଘ୍ର ସମାଧାନ ପାଇଁ ଏହାର ସଦୁପଯୋଗ କରିବାକୁ କୁହାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ