
କେନ୍ଦ୍ରାପଡ଼ା, ୧୮ ମଇ(ହି.ସ.) – ମଧ୍ୟପ୍ରାଚ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ପରିପ୍ରେକ୍ଷୀରେ ଗତ ୧୦ ମଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶକ୍ତି ସଂଚୟ ପାଇଁ ଦେଶବାସୀଙ୍କୁ ଅନାବଶ୍ୟକ ଯାନବାହନ ବ୍ୟବହାର କମାଇବା, ବିଦେଶ ଯାତ୍ରା କମାଇବା, ଘରୁ କାମ କରିବା ଏବଂ ଅନଲାଇନ୍ ବୈଠକ ଆୟୋଜନ କରି ପେଟ୍ରୋଲ ଓ ଡିଜେଲ ସଂଚୟ କରିବାକୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଚଳିତ ବର୍ଷ ସୁନା କିଣିବାରୁ ବିରତ ରହିବା, ଖାଦ୍ୟ ତେଲର ବ୍ୟବହାର କମାଇବା, ବିଦେଶୀ ବ୍ରାଣ୍ଡର ସାମଗ୍ରୀ କ୍ରୟରୁ ବିରତ ରହି ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର କରିବା, ରାସାୟନିକ ସାରର ବ୍ୟବହାର କମାଇ ପ୍ରାକୃତିକ ଚାଷ ଦିଗକୁ ଅଗ୍ରସର ହେବାକୁ ମଧ୍ୟ ଅନୁରୋଧ କରିଥିଲେ। ଏହି ସମସ୍ତ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ବିଦେଶରୁ ଆମଦାନି ଉପରେ ନିର୍ଭରଶୀଳତା କମାଇବା ଏବଂ ମୂଲ୍ୟବାନ ବୈଦେଶିକ ମୁଦ୍ରା ସଂଚୟ କରିବା। ସ୍ୱଦେଶୀ ଜାଗରଣ ମଂଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦେଶବାସୀଙ୍କ ପ୍ରତି କରାଯାଇଥିବା ଏହି ଆହ୍ୱାନକୁ ସ୍ୱାଗତ ଏବଂ ସମର୍ଥନ କରୁଛି ବୋଲି ଆଜି ପୂର୍ବାହ୍ନରେ ସ୍ୱଦେଶୀ ଜାଗରଣ ମଂଚ, କେନ୍ଦ୍ରାପଡ଼ା ତରଫରୁ ଏକ ପ୍ରେସ ବିବୃତି ମାଧ୍ୟ୍ୟମରେ ଜଣାଇଛି। ସ୍ୱଦେଶୀ ଜାଗରଣ ମଂଚ ଜିଲ୍ଲା ସମନ୍ୱୟକ ଅଭିମନ୍ୟୁ ଗୋଛାୟତ, ଜିଲ୍ଲା ସଂଗଠନ ସମ୍ପାଦକ ରଶ୍ମିରଂଜନ ସେଠୀ, ଜିଲ୍ଲା ସହ ସଂଯୋଜକ ବିଜୟ କୁମାର ରାଉତ ପ୍ରମୁଖ ଜଣାଇଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇସ୍ରାଏଲ ଏକ ପକ୍ଷରେ ଓ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ପାଖାପାଖି ପ୍ରାୟ ୨୦ଟି ଦେଶ ଜଡିତ। ସ୍ୱଦେଶୀ ଜାଗରଣ ମଂଚର ବିଶ୍ୱାସ ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ପଦକ୍ଷେପଗୁଡ଼ିକୁ ଅନୁସରଣ କରି ଆମେ ପେଟ୍ରୋଲିୟମ ପଦାର୍ଥର ବ୍ୟବହାର କମାଇବାରେ ସଫଳ ହେବା ସହିତ ଦୀର୍ଘକାଳୀନ ସମାଧାନ ପାଇଁ ଭାରତକୁ ଉର୍ଜା କ୍ଷେତ୍ରରେ ବିଶେଷତଃ ନବୀକରଣ ଯୋଗ୍ୟ ସବୁଜ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର କରିବା। ଏହା ସହ ଆମକୁ ସ୍ୱଚ୍ଛ ପ୍ରଯୁକ୍ତିର ଉତ୍ପାଦନରେ ମଧ୍ୟ ଆତ୍ମନିର୍ଭର ହେବାକୁ ପଡିବ, ଯାହା ଇଲେକ୍ଟ୍ରିକ୍ ଯାନ(ମୋଟର ଓ ବ୍ୟାଟେରୀ ସହିତ), ସୌର ଉର୍ଜା ଉପକରଣ (ସୌର ସେଲ ସହିତ), ପବନ ଉର୍ଜା ଉପକରଣ, ହରିତ ହାଇଡ୍ରୋଜେନ, ପରମାଣୁ ଶକ୍ତି ଇତ୍ୟାଦି ଅନ୍ତର୍ଭୁକ୍ତ। ଯେତେବେଳେ ଆମେ ସ୍ୱଚ୍ଛ ଉର୍ଜା ଓ ସ୍ୱଚ୍ଛ ପ୍ରଯୁକ୍ତି ଉତ୍ପାଦନରେ ଆତ୍ମନିର୍ଭର ହେବା,ସେତେବେଳେ ଆମେ କେବଳ ଆମଦାନିକୃତ କଚ୍ଚା ତେଲ ପାଇଁ ତେଲ ଉତ୍ପାଦକ ଓ ରପ୍ତାନିକାରୀ ଦେଶଗୁଡ଼ିକ ଉପରେ ନିର୍ଭରତା କମାଇ ପାରିବା ତାହା ନୁହେଁ ବରଂ ସୌର ଓ ପବନ ଉର୍ଜା ଉପକରଣ, ଇଲେକ୍ଟ୍ରିକ୍ ଯାନର ଉପକରଣ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଚୀନ ଓ ଅନ୍ୟ ଦେଶ ଉପରେ ମଧ୍ୟ ନିର୍ଭରତା କମାଇପାରିବା। ଏହି ସୁଯୋଗର ସଦ୍ୱ୍ୟବହାର କରି ଭାରତର ଦେଶଭକ୍ତ ନାଗରିକ, ବୈଜ୍ଞାନିକ ସମୁଦାୟ, ଶିକ୍ଷାନୁଷ୍ଠାନ, ଯୁବବର୍ଗ, ଷ୍ଟାର୍ଟ-ଅପ୍ ଏବଂ ଉଦ୍ୟୋଗୀମାନଙ୍କୁ ଏହି ସୁଯୋଗକୁ ହାତଛାଡ଼ା ନକରି ବିଦେଶୀ ନିର୍ଭରତା କମାଇବା ଓ ରାଷ୍ଟ୍ର ଗଠନର ଏହି ଅଭିଯାନରେ ସାମିଲ ହୋଇ ଏବଂ ଏକ ଶକ୍ତିଶାଳୀ, ସୁଦୃଢ଼ ଓ ଆତ୍ମନିର୍ଭର ଭାରତ ଗଠନରେ ସହାୟକ ହୁଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି