
ଜୟପୁର, 18 ମେ (ହି.ସ.) - ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗ ପରିସରରେ ବାର ଦିନିଆ ବିଏଡ୍ କର୍ମଶାଳା ବିଶ୍ବବିଦ୍ୟାଳୟର ଇଗ୍ନୁ ସଂଯୋଜକ ତଥା ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ଼ ପ୍ରଶାନ୍ତ କୁମାର ପାତ୍ରଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି। ଶିକ୍ଷକ ଶିକ୍ଷା ବିଭାଗର ମୁଖ୍ୟ ତଥା ଇଗ୍ନୁ ବିଏଡ୍ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ସଂଯୋଜକ ଡ଼ ମନୋରଞ୍ଜନ ପ୍ରଧାନଙ୍କ ପୈ।ରୋହିତ୍ବରେ ଆୟୋଜିତ କର୍ମଶାଳାର ଉଦଘାଟନୀ ସତ୍ରରେ ସହକାରୀ ପ୍ରଫେସର ଲୋକେଶ ପ୍ରଧାନ ଅତିଥି ପରିଚୟ କରିଥିବା ବେଳେ ସହକାରୀ ପ୍ରଫେସର ସୁଶ୍ରୀ ପରିଚିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଓଡିଶାର ୨୦ଟି ଜିଲ୍ଲା ଓ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ରାଜ୍ୟର ୦୫ ଜଣ ପ୍ରଶିକ୍ଷାର୍ଥୀ ସମେତ ୫୬ ଜଣ ପ୍ରଶିକ୍ଷାର୍ଥୀ ବାର ଦିନ ଧରି ଶିକ୍ଷକ ଶିକ୍ଷା ସମ୍ବନ୍ଧୀୟ ପ୍ରଶିକ୍ଷଣ ନେବେ। ଉତ୍ସବରେ ଡ଼ ପାତ୍ର ବିଶ୍ବବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗର ଶୃଙ୍ଖଳା, ଅନୁଶାସନ ଓ ନିଷ୍ଠାପର ଭାବରେ ଦିଆଯାଉଥିବା ଶିକ୍ଷକ ପ୍ରଶିକ୍ଷଣ ସମ୍ବନ୍ଧରେ ଆଲୋକପାତ କରିବା ସହ କର୍ମଶାଳାରେ ଭରପୁର ଫାଇଦା ଉଠାଇବା ପାଇଁ ଆହ୍ବାନ ଦେଇଥିଲେ। ବିଭାଗୀୟ ମୁଖ୍ୟ ଡଃ ପ୍ରଧାନ ସଂପୂର୍ଣ୍ଣ ବାର ଦିନର ରୂପରେଖ ସମ୍ବନ୍ଧରେ ବିସ୍ତୃତ ବିବରଣୀ ଦେବା ସହ ଇଗ୍ନୁ ବିଏଡ୍ କାର୍ଯ୍ୟକ୍ରମର ପ୍ରଥମ ବ୍ୟାଚ୍ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ସ୍ବାଗତ ଓ ଅଭିନନ୍ଦନ ଜଣାଇଥିଲେ। ଶ୍ରୀଜଗନ୍ନାଥଙ୍କ କରକମଳରେ ପୁଷ୍ପ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଆରମ୍ଭ ହୋଇଥିବା ଉଦଘାଟନୀ ଅଧିବେଶନରେ ସହକାରୀ ପ୍ରଫେସର ସୁଶ୍ରୀ ଅନୀତା ପଟ୍ଟନାୟକ, ଶ୍ରୀମତୀ ଅନୁପମା ମିଶ୍ର, ୟପ୍ରତ୍ ପାଣ୍ଡେ, ସୁଜାତା ବେଜ୍ ପ୍ରମୁଖ ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ କୋରାପୁଟ ଇଗ୍ଳୁ ଆଞ୍ଚଳିକ ନିର୍ଦ୍ଦେଶାଳୟର ଆଞ୍ଚଳିକ ନିର୍ଦ୍ଦେଶିକା ଡଃ ଲତିକା ମିଶ୍ର ଯୋଗଦେଇ ପ୍ରଶିକ୍ଷାର୍ଥୀଙ୍କ ଆଲୋଚନା କରିବା ସହ କର୍ମଶାଳାରେ ବହୁତ କିଛି ଶିଖିବାକୁ ଅଛି ବୋଲି ପରାମର୍ଶ ଦେଇଥିଲେ। ଉଦଘାଟନୀ ସମାରୋହ ପରେ ଦୁଇଟି ବୈଷୟିକ ଅଧିବେଶନ ଡ଼ ମନୋରଞ୍ଜନ ପ୍ରଧାନ ଓ ଅନୀତା ପଟ୍ଟନାୟକ ଦ୍ବାରା କରାଯାଇଥିଲା। ଶେଷରେ ରାଷ୍ଟ୍ରଗୀତ ବନ୍ଦେ ମାତରଂ ଗାନ କରି ପ୍ରଥମ ଦିନର କର୍ମଶାଳା ସମାପ୍ତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି