


ସମ୍ବଲପୁର,୧୯, ମେ (ହି.ସ.)
ସମ୍ବଲପୁର ପୋଲିସ ଗତ ୩୬ ଘଣ୍ଟା ମଧ୍ୟରେ ଦୁଇ ଜଣ କୁଖ୍ୟାତଙ୍କୁ ଏନ୍କାଉଣ୍ଟର କରିଛି । ଗତ କାଲି ବୁର୍ଲା ପ୍ଲାନେଟୋରିୟମ ନିକଟରେ କୁଖ୍ୟାତ ମନୀଷକୁ ଏନ୍କାଉଣ୍ଟର କରିଥିବା ବେଳେ ଆଜି ସମ୍ବଲପୁର ଚାରମାଳ ଥାନା ଅନ୍ତର୍ଗତ ମୋଚିବାହାଲ ଜଙ୍ଗଲ ରାସ୍ତାରେ ବଣ୍ଟି ସୁନା ନାମକ କୁଖ୍ୟାତକୁ ଏନ୍କାଉଣ୍ଟର କରି ସଫଳତା ହାସଲ କରିଛି ।
ସୂଚନା ଅନୁଯାୟୀ ଅବୈଧ ଅସ୍ତ୍ର ଓ ଗୁଳି ଜବତ ଘଟଣାର ତଦନ୍ତ ସମୟରେ ଦୁର୍ଦ୍ଧର୍ଷ ଅପରାଧୀ ବଣ୍ଟି ସୁନାର ନା' ସାମ୍ନାକୁ ଆସିଥିଲା । ସେ ଅସ୍ତ୍ର କାରବାର, ଡକାୟତି ଓ ଲୁଟ ଭଳି ଅନେକ ମାମଲାରେ ସଂପୃକ୍ତ ଥିବା ସହ ବୌଦ୍ଧ–ସୋନପୁର ରୁଟର ଆନ୍ତର୍ରାଜ୍ୟ ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଥିବା ପୋଲିସକୁ ସୂଚନା ମିଳିଥିଲା। କିଛି ଦିନ ଧରି
ବଣ୍ଟି ଗଞ୍ଜେଇ କାରବାର ସହ ଅସ୍ତ୍ରଶସ୍ତ୍ର ବେପାର ଚଳାଉଥିବା ବେଳେ ବିଭିନ୍ନ ସମୟରେ ପୋଲିସର ଚେକିଂକୁ ଏଡାଇବା ପାଇଁ ମୁଖ୍ୟରାସ୍ତା ଛାଡି ଜଙ୍ଗଲ ଓ ଗ୍ରାମ୍ୟ ରାସ୍ତା ବ୍ୟବହାର କରୁଥିଲା ।
ସୋମବାର ପୋଲିସ ଖବର ପାଇଥିଲା ଯେ ବଣ୍ଟି ସୁନା ସୋନପୁରରୁ ସମ୍ବଲପୁର ଅଭିମୁଖେ ଚାରମାଲ ଥାନା ଅଞ୍ଚଳର ଜଙ୍ଗଲ ରାସ୍ତା ଦେଇ ଗଞ୍ଜେଇ ଚାଲାଣ କରୁଛି। ଗତ କାଲି ଠାରୁ ପୋଲିସ ମୋଚିବାହାଲ ଜଙ୍ଗଲ ରାସ୍ତା ନିକଟରେ ନାକାବନ୍ଦୀ କରିବା ସହ ତୀକ୍ଷ୍ଣ ନଜର ରଖିଥିଲା । ଆଜି ଅପରାହ୍ନ ସାଢ଼େ ୫ଟା ବେଳେ
ପୋଲିସ ଏକ ସନ୍ଦିଗ୍ଧ ଟାଟା ଟିଆଗୋ ଗାଡ଼ିକୁ ଅଟକାଇବାକୁ ସଙ୍କେତ ଦେଇଥିଲା । ମାତ୍ର ଏହି ଗାଡ଼ିରେ ଥିବା ବଣ୍ଟି ଅଟକିବା ବଦଳରେ ଦ୍ରୁତଗତିରେ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡ଼ିଥିଲା । କଷ୍ଟେମଷ୍ଟେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ବଣ୍ଟି ପୋଲିସକୁ ଚକମା ଦେବା ପାଇଁ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସ ଆତ୍ମସମର୍ପଣ ପାଇଁ ତାକୁ ବାରମ୍ବାର ଚେତାବନୀ ଦେଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ପୋଲିସ ବାଧ୍ୟ ହୋଇ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇଥିଲା । ଏଥିରେ ବଣ୍ଟି ଆହତ ହୋଇ ତଳେ ପଡ଼ିଯାଇଥିଲା । ଆହତ ବଣ୍ଟିକୁ ତୁରନ୍ତ ଚାରମାଲ ହସ୍ପିଟାଲକୁ ନିଆଯାଇ ପରେ ଭୀମସାରକୁ ସ୍ଥାନାନ୍ତର କରାଯାଇଥିଲା ।
ପୋଲିସ ଟାଟା ଟିଆଗୋ ଗାଡ଼ି ତଲାସି କରି ଗଞ୍ଜେଇ ସହ ଏଟିଏମ କାର୍ଡ, ନଗଦ ଟଙ୍କା ଓ ଡ୍ରାଇଭିଂ ଲାଇସେନ୍ସ ଥିବା ଏକ ପର୍ସ ଜବତ କରିଛି । ଏନେଇ ଚାରମାଲ ଥାନାରେ ଏନଡିପିଏସ ଆଇନ ଅନୁଯାୟୀ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଛି । ବଣ୍ଟିର ଅପରାଧିକ ରେକର୍ଡ ଯାଞ୍ଚରୁ ତା ' ବିରୋଧରେ ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଥାନାରେ ୧୬ରୁ ଅଧିକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ