ବାଲିଅନ୍ତା ପରେ ବ୍ରହ୍ମପୁରରେ ସମାନ ଘଟଣା : ରାସ୍ତା ଉପରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଭିଡ଼ିଓ ଭାଇରାଲ୍
ଗଞ୍ଜାମ, ୧୯ ମଇ (ହି.ସ.)- ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯିବା ଘଟଣା ମନରୁ ନଲିଭୁଣୁ ପୁଣି ଥରେ ସମାନ ଚିତ୍ର ସାମ୍ନାକୁ ଆସିଛି ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରୁ । ସମାନ ଢଙ୍ଗରେ ରାସ୍ତା ଉପରେ ଜଣେ ଯୁବକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଆକ୍ରମଣ
ବାଲିଅନ୍ତା ପରେ ବ୍ରହ୍ମପୁରରେ ସମାନ ଘଟଣା : ରାସ୍ତା ଉପରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଭିଡ଼ିଓ ଭାଇରାଲ୍


ଗଞ୍ଜାମ, ୧୯ ମଇ (ହି.ସ.)- ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯିବା ଘଟଣା ମନରୁ ନଲିଭୁଣୁ ପୁଣି ଥରେ ସମାନ ଚିତ୍ର ସାମ୍ନାକୁ ଆସିଛି ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରୁ । ସମାନ ଢଙ୍ଗରେ ରାସ୍ତା ଉପରେ ଜଣେ ଯୁବକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଆକ୍ରମଣ କରାଯାଇଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଜନଗହଳିପୂର୍ଣ୍ଣ ଗିରି ରୋଡରେ ସୋମବାର ରାତି ପ୍ରାୟ ୯ଟା ୩୦ ସମୟରେ ଏହି ଘଟଣା ଘଟିଛି । କିଛି ଯୁବକ ଉମେଶ ରଥ ନାମକ ଜଣେ ଯୁବକଙ୍କୁ ଠେଙ୍ଗାରେ ଅତ୍ୟନ୍ତ ଅମାନୁଷିକ ଭାବେ ପିଟିଥିଲେ । ଏହି ସମୟରେ ଜଣେ ଯୁବତୀ ତାଙ୍କୁ ବଂଚାଇବାକୁ ଉଦ୍ୟମ କରି ମାଡ ଖାଇଛନ୍ତି । ଏହି ଘଟଣା ସବୁ ମହଲରେ ଆଲୋଡ଼ନ ସୃଷ୍ଟି କରିଛି । ମାଡ ମାରିବା ସମୟର ଏକ ଭିଡ଼ିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣାର ଦୁଇ ଦିନ ପୂର୍ବରୁ ବ୍ରହ୍ମପୁର ପୋଲିସ ଦିପୁନା ନାୟକ ନାମକ ଜଣେ ଅପରାଧୀକୁ ଏନକାଉଂଟର କରିଛି । ଅପରାଧୀଙ୍କୁ ଆଉ ନିସ୍ତାର ନାହିଁ ବୋଲି ପୋଲିସ ଡିଜି ଚେତାବନୀ ଦେବା ପରେ ବ୍ରହ୍ମପୁର ଏସପିଙ୍କ ତାଗିଦ୍ ସତ୍ୱେ ବି ଅପରାଧୀଙ୍କ ମାନସିକତାରେ କୌଣସି ପରିବର୍ତନ ଆସିନଥିବା ଜଣାପଡିଛି । ଏହା ଗତକାଲିର ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ପୋଲିସ ପ୍ରତି ଡ଼ର ଛାଡିଯାଇଛି । ଆଇନକୁ ହାତକୁ ନେବାକୁ କୁଣ୍ଠିତ ହେଉନାହାନ୍ତି ଅପରାଧୀ ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ୩୦ ସମୟରେ ଉମେଶ ରଥଙ୍କୁ ବିଚ୍ ରାସ୍ତାରେ ମାଡ ମାରି ତଳେ ପକାଇ ଠେଙ୍ଗାରେ ନିସ୍ତୁକ ପିଟିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ଯୁବତୀ ଆକ୍ରମଣକାରୀଙ୍କ କବଳରୁ ଯୁବକଙ୍କୁ ରକ୍ଷା କରିବା ପାଇଁ ଅନୁରୋଧ କରିଥିଲେ । ଏହି ଭିଡ଼ିଓରେ ଏହା ଦେଖିବାକୁ ମିଳିଛି । ଖବର ପାଇ ଟାଉନ୍ ଥାନା ଓ ଗୋଷାଣି ନୂଆଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛନ୍ତି । ଆକ୍ରମଣକାରୀ ଯୁବକମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଟିମ୍ ଗଠନ କରାଯାଇଛି । ବ୍ରହ୍ମପୁର ଏସପି ଡଃ. ସର୍ବଣା ବିବେକ ଏମ ଓ ବୈଦ୍ୟନାଥପୁର ପୋଲିସ ପହଂଚି ଆହତଙ୍କ ବୟାନ ରେକର୍ଡ଼ କରିଛନ୍ତି । ଏକ ବାଇକ୍ ରେ ଉମେଶ ଓ ତାଙ୍କ ବାନ୍ଧବୀ କୌଣସି କାମରେ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ଉମେଶଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ବେଳେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲର ଆଶୁ ଚିକିତ୍ସା ବିଭାଗରେ ଭର୍ତି କରାଯାଇଛି । ପୋଲିସ ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ସଂଗ୍ରହ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ୫ ଜଣ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି । ପୋଲିସ ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ଖୁବ୍ ଶିଘ୍ର ଅନ୍ୟମାନଙ୍କୁ ଧରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande