
ଜୟପୁର, ୧୯ ମଇ (ହି.ସ.)- କୁମୁଲି ଜଗନ୍ନାଥ ମନ୍ଦିର ଓ ବିଡିଗାଁରେ ଘରୁ ଚୋରି ଘଟଣାର ଖୁଲାସା କଲା ବି ସିଂହପୁର ପୋଲିସ । ବୋରିଗୁମ୍ମା ବିସିଂପୁର ଥାନା ଅଞ୍ଚଳରୁ କୁମୁଲି ନୂତନ ଜଗନ୍ନାଥ ମନ୍ଦିର ଏବଂ ଘର ଚୋରି ମାମଲାର ପର୍ଦାଫାସ କରିଛି ବିସିଂପୁର ପୋଲିସ। ଆଜି ଏକ ପ୍ରେସ ସମ୍ମିଳନୀରେ ବୋରିଗୁମ୍ମା ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି। ଗତ ୧୪/୪/୨୬ ତାରିଖରେ ବିଳମ୍ବିତ ରାତିରେ କୁମୁଲି ଗ୍ରାମର ନୂତନ ଜଗନ୍ନାଥ ମନ୍ଦିରରୁ ଦୁର୍ବୃତ୍ତ ହୁଣ୍ଡି ଭାଙ୍ଗି ନଗଦ ଲକ୍ଷାଧିକ ଟଙ୍କା ଏବଂ ଠାକୁରଙ୍କ ବ୍ୟବହାର ସୁନା ରୁପା ଅଳଙ୍କାର ଲୁଟି ନେଇଥିଲେ ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ସିସିଟିଭି ହାର୍ଡ ଡିସ୍କକୁ ନେଇ ଯାଇଥିଲେ। ଏ ସମ୍ପର୍କରେ ବିସିଂପୁର ଥାନାରେ ଏତଲା ଦେଇଥିଲେ ଗ୍ରାମବାସୀ। ସେହିପରି ଗତ ମାସ ୨୩/୪/୨୬ ତାରିଖରେ ବୋଡିଗାଁ ରେ ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତ ମାନେ ସୁନା ରୁପା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ଏ ସମ୍ପର୍କରେ ମଧ୍ୟ ବିସିଂପୁର ଥାନାରେ ଅଭିଯୋଗ ହୋଇଥିଲା। କୋରାପୁଟ ଏସ୍ପି ଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଛାନଭିନ ଆରମ୍ଭ କରିଥିଲେ।୧୮/୫/୨୬ ତାରିଖରେ କୌଣସି ସୂତ୍ରରୁ ଖବର ପାଇଥିଲେ କି ଲାଠିକଟା ଏବଂ ଭାଲୁମହଲ ଜଙ୍ଗଲ ମଧ୍ୟରେ କିଛି ଅଜଣା ବ୍ୟକ୍ତି ମାରଣାସ୍ତ୍ର ନେଇ ସନ୍ଦେହଜନକ ଭାବେ ବୁଲୁଛନ୍ତି। ସଙ୍ଗେ ସଙ୍ଗେ ବିସିଂପୁର ପୋଲିସ ଚଢ଼ଉ କରି ସ୍ଵାମୀ ସ୍ତ୍ରୀଙ୍କ ସହିତ ଜଣେ ଦୁର୍ବୃତ୍ତକୁ କାବୁ କରିଥିଲେ ଅନ୍ୟ ମାନେ ଚମ୍ପଟ ମାରିଥିଲେ।ପଚରାଉଚରା ପରେ ମନ୍ଦିର ଚୋରି ଏବଂ ଘରୁ ଚୋରି କରିଥିବା ପୋଲିସକୁ କହିଥିଲେ। ପୋଲିସ ସେମାନଙ୍କ ଠାରୁ ୫୦୦ ଗ୍ରାମ ରୁପା, ୧ ତୋଳା ସୁନା, ୨୬୦ ଗ୍ରାମ ରୁପା, ସାଳଗ୍ରାମ, ରୁଦ୍ରାକ୍ଷ, କିଛି ପୁରୁଣା କଏନ, ପୁରୁଣା ନୋଟ, ଚୋରି କରିବା ପାଇଁ ବ୍ୟବହାର କରୁଥିବା ତିନି ଗୋଟି ବାଇକ, ଖଣ୍ଡା, ଛୁରୀ, ଲୁହା ଛଡ଼, ଲଙ୍କା ଗୁଣ୍ଡ ଏବଂ ଦୁଇଟି ମୋବାଇଲ ଓ ୩ ଟି ବାଇକ୍ ଜବତ କରିଛି । ଗିରଫ ହୋଇଥିବା ସ୍ଵାମୀ ସ୍ତ୍ରୀ ହେଲେ ନନ୍ଦିନୀ ଦାସ ଓରଫ ଲକ୍ଷ୍ମୀ ଓ ତାଙ୍କ ସ୍ଵାମୀ ସୁରେଶ ଦାସ ଓ ଅନ୍ୟ ଜଣେ ଦୃର୍ବୁତ୍ତ ହେଲେ ହେବେଲ ଖୋସଲା। ଗିରଫ କରି ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ଏବଂ ଏହି ଚୋରି ଗ୍ୟାଙ୍ଗ ର ମାଷ୍ଟର ମାଇଣ୍ଡକୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି