
ଝାରସୁଗୁଡ଼ା, ୧୯ ମଇ (ହି.ସ.)- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଏସ୍ଆଇଆର୍ ୨୦୨୬ ପାଇଁ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ପ୍ରତିନିଧିଙ୍କ ସହିତ ସ୍ୱତନ୍ତ୍ର ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ବ୍ରଜ ବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ବ୍ରଜରାଜ ନଗର) ଲଳିତ ସୋରେଙ୍ଗ, ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ( ଝାରସୁଗୁଡ଼ା) ସବ୍ୟସାଚୀ ପଣ୍ଡା, ଡେପୁଟି କଲେକ୍ଟର (ନିର୍ବାଚନ) ଲୋପାମୁଦ୍ରା କାଲୋ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟରେ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)-୨୦୨୬ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ପ୍ରତିନିଧିଙ୍କ ସହିତ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି। ସୂଚନା ଅନୁଯାୟୀ, ୨୦୨୬ ଏସ୍ଆଇଆର୍ ପାଇଁ ୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଧାର୍ଯ୍ୟ କରାଯାଇଛି। ଏହି ତାରିଖ ସୁଦ୍ଧା ୧୮ ବର୍ଷ ଏବଂ ତା ଠାରୁ ଉର୍ଦ୍ଧ୍ୱ ବୟସ ହେଉଥିବା ସମସ୍ତ ଯୋଗ୍ୟ ଭାରତୀୟ ନାଗରିକ ମତଦାତା ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରିବେ। ସେଥିପାଇଁ ସମସ୍ତ ରାଜନୈତିକ ଦଳଙ୍କ ସହଯୋଗ କାମନା କରାଯାଉଛି। ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ, ୩୦ ମେ'ରୁ ୨୮ ଜୁନ୍ ୨୦୨୬ ରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ପରିଦର୍ଶନ କରିବେ।
ଏହାପରେ ୨୮ ଜୁନ୍ ୨୦୨୬ ସୁଦ୍ଧା ମତଦାନ କେନ୍ଦ୍ରର ପୁନର୍ବିନ୍ୟାସ କରାଯିବ ବୋଲି ଜଣାପଡ଼ିଛି। ପରେ ୫ ଜୁଲାଇରେ ଖସଡ଼ା ଭୋଟର ତାଲିକା ପ୍ରକାଶ କରାଯିବ। ୫ ଜୁଲାଇରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ସମୟସୀମା ଧାର୍ଯ୍ୟ ହୋଇଥିବା ବେଳେ ୫ ଜୁଲାଇରୁ ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ନୋଟିସ ପର୍ଯ୍ୟାୟ/ଦାବି ଓ ଆପତ୍ତିର ସମାଧାନ ଓ ୬ ସେପ୍ଟେମ୍ବର ୨୦୨୬ ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏସ୍ଆଇଆର୍ ସମୟରେ ବୁଥ୍ ସ୍ତରୀୟ ଅଧିକାରୀ ନିର୍ବାଚକଙ୍କ ଘରକୁ ଘର ଯାଇ ପରିଗଣନା, ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ। ସ୍ୱତନ୍ତ୍ର ସଘନ ସଂଶୋଧନକୁ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ରାଜନୈତିକ ଦଳମାନଙ୍କ ପୂର୍ଣ୍ଣ ସହଭାଗିତା ସହ କାର୍ଯ୍ୟାନ୍ୱୟନ କରିବା ପାଇଁ, ଜିଲ୍ଲା ନିର୍ବାଚନ ଅଧିକାରୀ, ଝାରସୁଗୁଡ଼ା ସମସ୍ତ ରାଜନୈତିକ ଦଳକୁ ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲ୍ଏ) ନିଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି। ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲ୍ଓ ସମ୍ପୃକ୍ତ ଭୋଟରଙ୍କୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବେ। ବୈଠକରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ବିଜେପି, ବିଜେଡି, କଂଗ୍ରେସ ଏବଂ ବିଏସ୍ପି ର ଜିଲ୍ଲା ସଭାପତି ଓ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ବୁଥ୍ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ଦଳର ଏହି ପ୍ରମୁଖ ସଦସ୍ୟମାନଙ୍କ ସହ ସବିଶେଷ ଆଲୋଚନା କରାଯାଇଥିଲା।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ୱତନ୍ତ୍ର ସଘନ ସଂଶୋଧନ ହେଉଛି ଭାରତ ନିର୍ବାଚନ ଆୟୋଗ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ସମଗ୍ର ପ୍ରକ୍ରିୟା, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଦ୍ୟତନ ଏବଂ ସତ୍ୟାପନ କରିବା। ଏହି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ମୁଖ୍ୟ ବୈଶିଷ୍ଟ୍ୟ ଗୁଡ଼ିକ ହେଲା— ସମସ୍ତ ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସମ୍ପୃକ୍ତ କରିବା, ଅନଧିକୃତ ପ୍ରବାସୀ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବିଲୋପ କରିବା ଏବଂ ମୃତ ବ୍ୟକ୍ତିଙ୍କ ନାମକୁ ଭୋଟର ତାଲିକାରୁ ବାହାର କରିବା। ଏହାସହିତ ଭୋଟର ତାଲିକାରେ ଥିବା ଡୁପ୍ଲିକେଟ୍ ନାମଗୁଡ଼ିକୁ ଚିହ୍ନଟ କରି ବିଲୋପ କରାଯିବ, ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରାଯିବ ଏବଂ ଭୋଟର ତାଲିକାର ସଠିକତା ତଥା ପାରଦର୍ଶିତା ବଢ଼ାଯିବ, ଯେପରି ଏକ ସମ୍ପୂର୍ଣ୍ଣ ନିର୍ଭରଯୋଗ୍ୟ ଏବଂ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ। ଏହି ବିଷୟରେ ଅଧିକ ସୂଚନା ପାଇଁ ସର୍ବସାଧାରଣ voters.eci.gov.in ୱେବସାଇଟ୍ ପରିଦର୍ଶନ କରିପାରିବେ କିମ୍ବା ECINET ଆପ୍ ବ୍ୟବହାର କରିପାରିବେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ