
କେନ୍ଦ୍ରାପଡ଼ା, ୧୯ ମଇ(ହି.ସ.) – ଆସନ୍ତା ବର୍ଷା ଋତୁ ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର୍. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ କେନ୍ଦ୍ରାପଡ଼ା ଗଣେଶ୍ୱର ବେହେରା, ବିଧାୟକ ରାଜନଗର ଧ୍ରୁବଚରଣ ସାହୁ, ଅଧ୍ୟକ୍ଷା ଜିଲ୍ଲା ପରିଷଦ ଲିଲିତା ଦାସ, ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ଭୀଷ୍ମ ମହାନ୍ତି, ବିଧାୟକ ମହାକାଳପଡ଼ାଙ୍କ ପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କ ସମେତ ବିଭିନ୍ନ ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା, ବିଡିଓ, ତହସିଲଦାର, କେନ୍ଦ୍ରାପଡ଼ା ଏବଂ ପଟ୍ଟାମୁଣ୍ଡାଇ ମୁନିସିପାଲିଟିର ନିର୍ବାହୀ ଅଧିକାରୀ ଓ ବିଭିନ୍ନ ଲାଇନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ବନ୍ୟା ପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି, ନଦୀ ଓ କେନାଲ ବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକର ମରାମତି ଓ ସୁରକ୍ଷା, ଡ୍ରେନେଜ ବ୍ୟବସ୍ଥାର ସଫେଇ, ବନ୍ୟାଜଳର ନିର୍ବିଘ୍ନ ପ୍ରବାହ, ୨୪ ଘଂଟିଆ କଂଟ୍ରୋଲ ରୁମ୍, ବର୍ଷା ପରିମାପ ଓ ଦୈନିକ ପରିସ୍ଥିତି ରିପୋର୍ଟ ପ୍ରେରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପାଣିପାଗ ସତର୍କବାଣୀ ଓ ବନ୍ୟା ବୁଲେଟିନର ତ୍ୱରିତ ପ୍ରଚାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବନ୍ୟାପ୍ରବଣ ଅଂଚଳରେ ଆଗୁଆ ଖାଦ୍ୟ ସାମଗ୍ରୀ, ଶୁଖିଲା ଖାଦ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବା ସହ ସୁରକ୍ଷିତ ପାନୀୟ ଜଳ, ସ୍ୱାସ୍ଥ୍ୟ, ପରିଷ୍କାରତା, ପଶୁ ଚିକିତ୍ସା ଓ କୃଷି ସହାୟତା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ବନ୍ୟା ଆଶ୍ରୟସ୍ଥଳଗୁଡ଼ିକ ପ୍ରସ୍ତୁତ ରଖିବା ସହିତ, ପାନୀୟ ଜଳ, ତଳିଆ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଉଦ୍ଧାର ଯୋଜନା, ରାସ୍ତା ଓ ପରିବହନ ବ୍ୟବସ୍ଥା ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଏଥିସହିତ ସୁରକ୍ଷା ବାହିନୀ ମୁତୟନ ପାଇଁ ପୂର୍ବ ପ୍ରସ୍ତୁତି ଏବଂ ବନ୍ୟା ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ପ୍ରଶିକ୍ଷିତ ରିଲିଫ ଟିମ୍ ଗଠନ ଉପରେ ଆଲୋଚନା କରାଯାଇଥିଲା। ବିପର୍ଯ୍ୟୟ ସମୟରେ ବିଦ୍ୟୁତ, ଦୂରସଂଚାର, ସଡ଼କ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସେବାର ଶୀଘ୍ର ପୁନଃସ୍ଥାପନ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହାସହ ଜନପ୍ରତିନିଧି, ସ୍ୱୟଂସାହାଯ୍ୟ ଗୋଷ୍ଠୀ, ସାମୁଦାୟିକ ସଂଗଠନ ଓ ସିଭିଲ ସୋସାଇଟି ସହ ସମନ୍ୱୟ ବୃଦ୍ଧି କରିବା ଉପରେ ଆଲୋଚନା ହୋଇଛି। କ୍ଷୟକ୍ଷତିର ତ୍ୱରିତ ଆକଳନ ଏବଂ ଶୀଘ୍ର ସହାୟତା ବଂଟନ ପାଇଁ ଜବକ୍ଟ୍ରସୟ ଊବଜ୍ଞବଶର ଇଗ୍ଦଗ୍ଦରଗ୍ଦଗ୍ଦଜ୍ଞରଦ୍ଭଗ୍ଧ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହାସହିତ ବିପର୍ଯ୍ୟୟ ସମୟରେ ପ୍ରଭାବିତ ପରିବାରଙ୍କୁ ତୁରନ୍ତ ବଂଟନ ପାଇଁ ପଲିଥିନ ସିଟ୍ ସହ ଆବଶ୍ୟକ ଆଶ୍ରୟ ସାମଗ୍ରୀ ମହଜୁଦ ରଖିବାକୁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି। ବନ୍ୟା କିମ୍ବା ଅତିବୃଷ୍ଟିରେ ଜଳମଗ୍ନ ରାସ୍ତା ଓ ପୋଲଗୁଡ଼ିକୁ ଅସ୍ଥାୟୀ ବ୍ୟାରିକେଡ୍ ଓ ସତର୍କ ସୂଚନା ଫଳକ ଲଗାଇ ବନ୍ଦ କରିବା ପାଇଁ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନଜୀବନ ଓ ସମ୍ପତିର ସୁରକ୍ଷା ପାଇଁ ସମସ୍ତ ବିଭାଗକୁ ସତର୍କ ରହିବା ସହିତ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ୟ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି