
କେନ୍ଦ୍ରାପଡ଼ା, ୧୯ ମଇ(ହି.ସ.) – ଜିଲ୍ଲାସ୍ତରୀୟ ଯୋଗ ଶୟନ ସଂଘ ପକ୍ଷରୁ ଜାଭିଅର୍ସ ହାଇସ୍କୁଲ୍ ପରିସରରେ ଜିଲ୍ଲାସ୍ତରୀୟ ଯୋଗସାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ନିରଞ୍ଜନ ବେହେରା, ଉପଦେଷ୍ଟା ସ୍ୱପ୍ନାଂଶୁ କୁମାର ଦାସ, ଯୋଗ ଗୁରୁ ସଂଜୟ କୁମାର ମଥାନ ଏହାର ଶୁଭାରମ୍ଭ କରିଥିଲେ। ଯୋଗଗୁରୁ ଭରତ କୁମାର ସାହୁ, ସମୀର କୁମାର ସାହୁ, ଅଲେଖ ବେହେରା, ପିଙ୍କିରାଣୀ ମହାରଣା, ସସ୍ମିତା ପଣ୍ଡା, ମନୋଜ କୁମାର ସାହୁ, ମାନସ କୁମାର ଓଝା ଓ ବରିଷ୍ଠ ସାମ୍ବାଦିକ ସୋମନାଥ ସାହୁ, ବିଚାରକ ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ୧୨୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ଯୋଗ ପ୍ରଦର୍ଶନ କରିଥିଲେ। ପ୍ରତିଯୋଗୀତାରୁ ୩ ଜଣ ଲେଖା ସର୍ବମୋଟ୍ ୩୬ ଜଣ କୃତୀ ପ୍ରତିଯୋଗୀମାନେ ଆସନ୍ତା ୨୧ ତାରିଖରେ ରାୟଗଡାଠାରେ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗୀତାରେ ଭାଗ ନେବାପାଇଁ ମନୋନୀତ କରିଥିଲେ। ପ୍ରଥମଥର ପାଇଁ ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ କରାଯାଇଥିବା ପ୍ରତିଯୋଗୀତାରେ ଦୃଷ୍ଟିବାଧିତ ଆୟୁଷ ରାୟ, ମାନସିକ ଅନଗ୍ରସର ଲକ୍ଷ୍ମୀପ୍ରିୟା ବେହେରା ମନୋନୀତ ହୋଇଥିଲେ। ଉଦ୍ଯାପନୀ ଉତ୍ସବରେ ଜିଲ୍ଲା ଚିକିତ୍ସାଳୟର ପ୍ରଶାସକ ଦିଲ୍ଲୀପ କୁମାର ନାୟକ ସମ୍ମାନୀତ ଅତିଥି ଭାବେ, କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ ଯୋଗଦେଇ ମଣିଷ ଜୀବନର ଯୋଗର ଆବଶ୍ୟକ ଉପରେ ଗୁରୁତ୍ୱାରୋପ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି