ଓଡ଼ିଶା କ୍ୟାଡର ଆଇ.ଏ.ଏସ. ପ୍ରଶିକ୍ଷାର୍ଥୀଙ୍କ ଏସଏସଇପିଡି ବିଭାଗ ପରିଦର୍ଶନ
ଭୁବନେଶ୍ୱର,୧୯ ମଇ (ହି.ସ.) - ଓଡ଼ିଶା କ୍ୟାଡରର ଏକ ଆଇ.ଏ.ଏସ. ପ୍ରଶିକ୍ଷାର୍ଥୀ ଦଳ ଆଜି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (ଏସଏସଇପିଡି) ବିଭାଗ ପରିଦର୍ଶନ କରିଛନ୍ତି। ସେମାନଙ୍କ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣର ଏକ ଅଂଶସ୍ୱରୂପ, ଭବିଷ୍ୟତର ଏହି ପ୍ରଶାସକମାନଙ୍କୁ ସାମାଜିକ କଲ୍ୟାଣ, ଅନ
ଓଡ଼ିଶା କ୍ୟାଡର ଆଇ.ଏ.ଏସ. ପ୍ରଶିକ୍ଷାର୍ଥୀଙ୍କ ଏସଏସଇପିଡି ବିଭାଗ ପରିଦର୍ଶନ


ଭୁବନେଶ୍ୱର,୧୯ ମଇ (ହି.ସ.) - ଓଡ଼ିଶା କ୍ୟାଡରର ଏକ ଆଇ.ଏ.ଏସ. ପ୍ରଶିକ୍ଷାର୍ଥୀ ଦଳ ଆଜି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (ଏସଏସଇପିଡି) ବିଭାଗ ପରିଦର୍ଶନ କରିଛନ୍ତି। ସେମାନଙ୍କ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣର ଏକ ଅଂଶସ୍ୱରୂପ, ଭବିଷ୍ୟତର ଏହି ପ୍ରଶାସକମାନଙ୍କୁ ସାମାଜିକ କଲ୍ୟାଣ, ଅନ୍ତର୍ଭୁକ୍ତିମୂଳକ ଶାସନ ଏବଂ ତୃଣମୂଳ ସ୍ତରରେ ସେବା ପ୍ରଦାନ ପ୍ରକ୍ରିୟା ସହ ପରିଚିତ କରାଇବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି ସମିଳନୀରେ ଏସଏସଇପିଡି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ବିଭାଗର ବିଭିନ୍ନ ପ୍ରମୁଖ ସାମାଜିକ ସୁରକ୍ଷା ଯୋଜନା ଓ ସାଂସ୍ଥାନିକ ଭିତିଭୂମି ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ଏଥିରେ ମଧୁବାବୁ ପେନସନ ଯୋଜନା , ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କଲ୍ୟାଣକାରୀ ଯୋଜନା ଉପରେ ଆଲୋଚନା କରାଯାଇଥିଲା।

ଶାସନ ସଚିବ ସମାଜର ପଛୁଆ ଏବଂ ଅବହେଳିତ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ବିଶେଷ କରି କିନ୍ନର (ଟ୍ରାନ୍ସଜେଣ୍ଡର) ମାନଙ୍କର ସାମାଜିକ ଓ ଆର୍ôଥକ ବିକାଶ ତଥା ସମାନତା ପାଇଁ ଉଦ୍ଦିଷ୍ଟ ‘ସ୍ୱୀକୃତି’ ଯୋଜନା ସମେତ ବରିଷ୍ଠ ନାଗରିକ, ଭିକ୍ଷୁକ ଏବଂ ନିରାଶ୍ରୟମାନଙ୍କ ପାଇଁ ଥିବା ପୁନର୍ବାସ କାର୍ଯ୍ୟକ୍ରମ ବିଷୟରେ ସେ ବୁଝାଇଥିଲେ। ଏହା ସହିତ ବୟସ୍କ ମହିଳାମାନଙ୍କ ସଂଖ୍ୟା ବୃଦ୍ଧି ଏବଂ ଏହାର ପରିଚାଳନା ପାଇଁ ପ୍ରଶାସନିକ ସ୍ତରରେ ଆବଶ୍ୟକ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଉପଖଣ୍ଡ ସ୍ତରରେ ଏହିସବୁ ଯୋଜନାର ସଫଳ ରୂପାୟନ ଓ ତଦାରଖ କ୍ଷେତ୍ରରେ ଉପ-ଜିଲ୍ଲାପାଳ ମାନଙ୍କର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ସେ ବାବଦରେ ପ୍ରଶିକ୍ଷାର୍ଥୀମାନଙ୍କୁ ଅବଗତ କରାଯାଇଥିଲା।

ରାଜ୍ୟର ତୃଣମୂଳ ସ୍ତରର ବ୍ୟବସ୍ଥାକୁ ବୁଝିବା ପାଇଁ ଅଫିସରମାନଙ୍କୁ ସମନ୍ୱିତ ଭିତ୍ତିଭୂମି ସମ୍ପ୍ରସାରଣ କେନ୍ଦ୍ର , ରାଜ୍ୟ ବିଶେଷ ଶିକ୍ଷା ଓ ଅନୁସନ୍ଧାନ ପ୍ରତିଷ୍ଠାନ ଏବଂ ଉନ୍ନତ ପୁନର୍ବାସ କେନ୍ଦ୍ର ର କାର୍ଯ୍ୟପଦ୍ଧତି ବିଷୟରେ ଜଣାଇ ଦିଆଯାଇଥିଲା।

ଏହା ବ୍ୟତୀତ ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକର ପରିଚାଳନା, ନବନିଯୁକ୍ତ ସ୍ୱତନ୍ତ୍ର ଶିକ୍ଷକମାନଙ୍କ ପ୍ରଶିକ୍ଷଣ ଏବଂ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଡିଜିଟାଲ ସାକ୍ଷରତା ପାଇଁ ଲ୍ୟାପଟପ୍ ବଣ୍ଟନ ଭଳି ଶିକ୍ଷାଗତ ସହାୟତା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଶା କ୍ୟାଡରର ଆଇ.ଏ.ଏସ. ପ୍ରଶିକ୍ଷାର୍ଥୀ ଅଭି ଜୈନ, ଅନୁପ ନାୟକ, ଜସକରନ ସିଂ, ଜିତେନ୍ଦ୍ର କୁମାର, ଶରଣ୍ୟା ଏସ୍. ଏବଂ ସୁଧା ଚୌହାନ ଯୋଗ ଦେଇଥିଲେ।

ଭବିଷ୍ୟତର ପ୍ରଶାସନିକ ଅଧିକାରୀମାନଙ୍କୁ ସମାଜର ଅବହେଳିତ ଓ ଗରିବ ଶ୍ରେଣୀର ଲୋକଙ୍କ ସମସ୍ୟାକୁ ସହାନୁଭୂତିର ସହ ବୁଝିବା, ଜନସାଧାରଣଙ୍କ ଅଭିଯୋଗର ସମାଧାନ କରିବା ଏବଂ ସରକାରୀ ନୀତିକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ଏଭଳି ପ୍ରଶିକ୍ଷଣ ଓ ଅଭିଜ୍ଞତା ନିହାତି ଜରୁରୀ, ବୋଲି ବିଭାଗ ପକ୍ଷରୁ ପ୍ରକାଶିତ ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।

ଏହି ସାମଗ୍ରିକ ଓରିଏଣ୍ଟେସନ ସେସନକୁ ଏସଏସଇପିଡି ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ନେତୃତ୍ୱରେ ଅତିରିକ୍ତ ସଚିବ ଦୀପକ ରୌତରାୟ, ଶ୍ରୀମତୀ ସୋନିଆ ବେହେରା ଏବଂ ଭାସ୍କର ରାଇତୋ ପରିଚାଳନା କରିଥିଲେ। ବରିଷ୍ଠ ଅଧିକାରୀମାନେ ପ୍ରଶିକ୍ଷାର୍ଥୀମାନଙ୍କୁ ରାଜ୍ୟ ସ୍ତରରୁ ଆରମ୍ଭ କରି ବ୍ଲକ ଏବଂ କ୍ଷେତ୍ର ସ୍ତର ପର୍ଯ୍ୟନ୍ତ ବିଭାଗର କାର୍ଯ୍ୟଶୈଳୀ ସମ୍ପର୍କରେ ବିସ୍ତୃତ ଧାରଣା ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande