

କନ୍ଧମାଳ, ୧୯ ମଇ (ହି.ସ.)- କନ୍ଧମାଳ ଜିଲ୍ଲାର ଐତିହାସିକ ଯାତ୍ରା ଶ୍ରୀ ମା ନାରାୟଣୀଙ୍କ ସମେତ ପଞ୍ଚ ଦେବୀ ପଞ୍ଚଠାକୁରାଣୀ ଏବଂ ଏହିମାନଙ୍କ ସୁରକ୍ଷାରେ ମା କାଳୀଙ୍କ ଯାତ୍ରାର ଆଜି ଶେଷ ନଗରଭ୍ରମଣ ହେବ। ଯାତ୍ରାର ନଗର ଭ୍ରମଣ ଦିନ ନିର୍ଦ୍ଧାରଣ ଅନୁସାରେ, ଆଜି ଫୁଲବାଣୀ ଚାଇନା ବଜାରକୁ ଯାଇ ସେଠାରେ ଦେବୀ ମାନେ ପୂଜାର୍ଚ୍ଚନା ଗ୍ରହଣ କରି ନିଜ ଅସ୍ଥାୟୀ ମଣ୍ଡପକୁ ଫେରିବେ। ଆସନ୍ତା କାଲି ଯାତ୍ରାର ଶେଷ ଦିବସ ପରମ୍ପରା ଅନୁସାରେ କାଲି ପଞ୍ଚ ଦେବୀ ପଞ୍ଚ ଠାକୁରାଣୀ ନିଜ ନିଜ ମନ୍ଦିରକୁ ବାହୁଡ଼ିବେ । ଦୀର୍ଘ ଏକ ମାସ ଧରି ଚାଲିଥିବା ଏହି ଯାତ୍ରାର ଶେଷ ହେବ। ଦୀର୍ଘ ଏକ ମାସର ଯାତ୍ରା ସମାପନ କରି ପଞ୍ଚ ଠାକୁରାଣୀ ଏବଂ ମା ଦକ୍ଷିଣକାଳୀ ପ୍ରତ୍ୟାଗମନ କରିବେ ସ୍ଵ ମନ୍ଦିର l
ପଞ୍ଚ ଠାକୁରାଣୀ ଗମ୍ଭୀରାରୁ ବାହାରି ଶ୍ରୀରାମ ନଗର ରାସ୍ତା ଦେଇ ମୁଖ୍ୟ ରାସ୍ତାକୁ ଯିବେ । ସେଠାରୁ ଡାହାଣ ପଟ ମୁଖ୍ୟ ରାସ୍ତାରେ ପି ଏଚ ଡି ଛକରୁ ଡାହାଣ ପଟ ରାସ୍ତାରେ ସର୍ବମଙ୍ଗଳା ପ୍ରେସକୁ ବାଟ ପୂଜା ପାଇଁ ଯିବେ । ସେଠାରୁ ବାମ ପଟ ରାସ୍ତାରେ ଶଙ୍କର ପାଣିଗ୍ରାହୀ ଘର ଛକ ଦେଇ ଚାଇନା ବଜାରକୁ ପରିଚାଳନା ପୂଜା ପାଇଁ ଯିବେ । ସେଠାରୁ ଫେରି ପାଣ୍ଡେ କଲୋନୀ ରାସ୍ତାରେ ଫୁଲବାଣୀ ସାହି ବରାଳ ଦେଵୀ ମନ୍ଦିରକୁ ପୂଜା ପାଇଁ ଯିବେ । ସେଠାରେ ପୂଜା ସାରି ପଟାବାଲି ସାହି ଛକରୁ ବାମ ପଟ ମୁଖ୍ୟ ରାସ୍ତାରେ ଆସି ଲକ୍ଷ୍ମୀ ମାର୍କେଟ ରାସ୍ତା ଦେଇ ଗମ୍ଭୀରାକୁ ବିଜେ କରିବେ । ସମଗ୍ର ଫୁଲବାଣୀ ସହର ମୁଖ୍ୟ ରାସ୍ତା ଆଲୋକ ମାଳାରେ ସଜ୍ଜିତ l ଲକ୍ଷlଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ଅନୁମାନ କରାଯାଉଛି l ଅନ୍ୟପଟେ ମିନlବଜାର, ଅପେରା ଓ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମର ମେଲୋଡି ହେଉଥିବାରୁ ଅଧିକ ଜନସମାଗମର ସମ୍ଭାବନା ରହିଛି l ଏ ଦୃଷ୍ଟିରୁ ପୋଲିସ ପ୍ରଶାସନ ତୀକ୍ଷ୍ଣ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ