
ଝାରସୁଗୁଡା, ୧୯ ମଇ (ହି.ସ.)- ଝାରସୁଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗତ ବୁଧବାର ପୂର୍ବାହ୍ନରେ ସବ୍-କଲେକ୍ଟରଙ୍କ ଅଧ୍ୟକ୍ଷତାରେ କୋଲାବିରା ବ୍ଲକ ବଡ଼ବାହାଲରେ ଚାଲୁଥିବା ଏକ ନିର୍ମାଣକାର୍ଯ୍ୟକୁ ନେଇ ଦାଖଲ ହୋଇଥିବା ଅଭିଯୋଗ ପ୍ରସଙ୍ଗରେ ଦୁଇ ପକ୍ଷଙ୍କ ଏକ ବୈଠକ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଭିଯୋଗକାରୀ କିଶୋର କୁମାର ମହାନ୍ତି, ହିନ୍ଦୁ ଜାଗରଣ ମଞ୍ଚର ପ୍ରବୀଣ ଶ୍ରୀବାସ୍ତବ ଓ ସଦସ୍ୟ ମାନେ, ବଜରଙ୍ଗ ଦଳର ରବି ଗିଦୱାନୀ ଓ ଅନ୍ୟ ସଦସ୍ୟମାନେ, ଗୋଣ୍ଡ ସମାଜ ସଭାପତି ନବୀନ ଚନ୍ଦ୍ର ନାଏକ ଓ ସଦସ୍ୟ, ସମାସିଂହା ପ୍ରଗତି ସଂଘର ସଭାପତି ମନୋଜ କୁମାର କାଲୋ ଓ ଅଞ୍ଚଳବାସୀ, ସୁଶୀଲ କୁମାର ଦାସଙ୍କ ସହ କୋଲାବିରା ବ୍ଲକ ଅଞ୍ଚଳର ଜନସାଧାରଣ ମଦ୍ରାସା ଓ ମସଜିଦ ନିର୍ମାଣ ବିରୁଦ୍ଧରେ ଜିଲ୍ଲାପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ l
ଅଭିଯୋଗକାରୀମାନେ କହିଥିଲେ ଯେ, ବଡ଼ବାହାଲରେ ଶୋହେଲ ରାନା ଓ ମହମ୍ମଦ ସାହିଲ ଗୋପନ ଭାବେ ଭୂଗର୍ଭ ନିର୍ମାଣ ସହିତ ଏକ ମସଜିଦ ଓ ମଦ୍ରାସା ନିର୍ମାଣ ପାଇଁ ପ୍ରୟାସ କରୁଛନ୍ତି। ଏଥିପାଇଁ ସମ୍ପର୍କିତ କ୍ଷମତାସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଅନୁମତି ନେଇନଥିବା ଓ ଏହା ଫଳରେ ଅଞ୍ଚଳରେ ସମ୍ପ୍ରଦାୟିକ ସଦ୍ଭାବନା ବିଘ୍ନିତ ହେବା ସହ ଆଇନ-ଶୃଙ୍ଖଳା ପରିସ୍ଥିତି ପ୍ରଭାବିତ ହେବାର ଆଶଙ୍କା ରହିଥିବା ସେମାନେ ଦାବି କରିଥିଲେ।
ଏହାର ପ୍ରତିଉତ୍ତରରେ ଶୋହେଲ ରାନା ଓ ମହମ୍ମଦ ସାହିଲ କହିଥିଲେ ଯେ, ସେଠାରେ କୌଣସି ମସଜିଦ କିମ୍ବା ମଦ୍ରାସା ନିର୍ମାଣ କରାଯାଉନାହିଁ। ଚାଲୁଥିବା ନିର୍ମାଣକାର୍ଯ୍ୟ ଗୋଶାଳା ଓ ଚାଷକାମ ସମ୍ପର୍କିତ ବ୍ୟବହାର ପାଇଁ ହେଉଛି। ସେମାନେ ଆହୁରି କହିଥିଲେ ଯେ, “ସାହେ ରାଜା ଖାଙ୍କା ଶରିଫ ଟ୍ରଷ୍ଟ” ନାମରେ ହୋଇଥିବା ଆବେଦନ ଭୁଲବଶତଃ କରାଯାଇଥିଲା ଏବଂ ତାହା ପ୍ରତ୍ୟାହାର କରାଯାଇଛି। ବିସ୍ତୃତ ଆଲୋଚନା ପରେ ଉଭୟ ପକ୍ଷ କିଛି ମୁଖ୍ୟ ବିଷୟରେ ସହମତି ପ୍ରକାଶ କରିଥିଲେ। ଚାଲୁଥିବା ନିର୍ମାଣକାର୍ଯ୍ୟକୁ ବାଣିଜ୍ୟିକ ଓ ଗୋଶାଳା ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ବୋଲି ଶୋହେଲ ରାନା ଓ ମହମ୍ମଦ ସାହିଲ ନିଶ୍ଚିତ କରିଥିଲେ। କୌଣସି ଅତିରିକ୍ତ ନିର୍ମାଣ ପୂର୍ବରୁ ସମ୍ପର୍କିତ କ୍ଷମତାସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଅନୁମୋଦନ ନିଆଯିବ ବୋଲି ମଧ୍ୟ ସେମାନେ କହିଥିଲେ। ଏହା ସହିତ ଅଞ୍ଚଳରେ କୌଣସି ପ୍ରକାରର ଧାର୍ମିକ ସମାବେଶ ପାଇଁ ପ୍ରଶାସନର ପୂର୍ବ ଅନୁମତି ଆବଶ୍ୟକ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ସମ୍ବେଦନଶୀଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସଂଯମ ରକ୍ଷା କରି ସମ୍ପ୍ରଦାୟିକ ସମ୍ମିଳନୀ ବଜାୟ ରଖିବାକୁ ଅନୁରୋଧ କରାଯାଇଥିଲା। ସନ୍ଦେହଜନକ କାର୍ଯ୍ୟକଳାପ ଦେଖାଦେଲେ ତତକ୍ଷଣାତ ଆଇନ ଶୃଙ୍ଖଳା ବାହିନୀକୁ ସୂଚନା ଦେବା ଓ ପ୍ରଶାସନ ପକ୍ଷରୁ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା l
ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳଙ୍କ ସହ ଡେପୁଟି କଲେକ୍ଟର ହରେକୃଷ୍ଣ ବରିହା, ସୋହେଲ ରାନା, ଏମଡି ସାହିଲ, ପ୍ରଗତିସଂଘ ସଭାପତି ମନୋଜ କାଲୋ, ଗୋଣ୍ଡ ସମାଜ ସଭାପତି ନବୀନ ଚନ୍ଦ୍ର ନାଏକ, ପୂର୍ବତନ ସରପଞ୍ଚ ତୁଳାରାମ ସେନାପତି, ପୂର୍ବତନ ସରପଞ୍ଚ କରୁଣାକର ସେଟ, ଝିର୍ଲାପାଲି ସରପଞ୍ଚ ତିଳୋତ୍ତମା ଛଛାନ, କୋଲାବିରା ଭାରପ୍ରାପ୍ତ ସରପଞ୍ଚ ଅଞ୍ଜଳି ବାଗ, ସମିତିସଭ୍ୟ ଦୀନବନ୍ଧୁ ଧୁରୁଆ, ବଜରଙ୍ଗ ଦଳର ରବି ଗିଡୱାନି, କିଶୋର କୁମାର ମହାନ୍ତି, ପ୍ରବୀଣ ସାହୁ, ଭାଗିରଥି ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ