ଚାଷୀଙ୍କ ହକ୍ ର ୧୩୦୮ କୋଟି ଟଙ୍କା ହଡ଼ପ କରିବାକୁ ବସିଛି ଓଡ଼ିଶାର ଚାଷୀ ବିରୋଧୀ ବିଜେପି ଡବଲ ଇଞ୍ଜିନ ସରକାର : ନବନିର୍ମାଣ କୃଷକ ସଂଗଠନ, ସୁବର୍ଣ୍ଣପୁର
ସୁବର୍ଣପୁର, ୧୯ ମଇ (ହି.ସ.)- ଓଡ଼ିଶାର ବର୍ତ୍ତମାନର ସରକାର ଚାଷୀମାନଙ୍କ ପାଇଁ ବଡ଼ ବଡ଼ ପ୍ରତିଶ୍ରୁତି ଦେଉଥିବା ବେଳେ ବାସ୍ତବରେ ଏହା ଏକ ସମ୍ପୂର୍ଣ୍ଣ ଚାଷୀ ବିରୋଧୀ ସରକାର ଭାବେ କାର୍ଯ୍ୟ କରୁଛି। କେନ୍ଦ୍ର ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ବର୍ଦ୍ଧିତ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ର ସଠିକ୍ ପ
*ଚାଷୀଙ୍କ ହକ୍ ର ୧୩୦୮ କୋଟି ଟଙ୍କା ହଡ଼ପ କରିବାକୁ ବସିଛି ଓଡ଼ିଶାର ଚାଷୀ ବିରୋଧୀ ବିଜେପି ଡବଲ ଇଞ୍ଜିନ ସରକାର: ନବନିର୍ମାଣ କୃଷକ ସଂଗଠନ, ସୁବର୍ଣ୍ଣପୁର*


ସୁବର୍ଣପୁର, ୧୯ ମଇ (ହି.ସ.)- ଓଡ଼ିଶାର ବର୍ତ୍ତମାନର ସରକାର ଚାଷୀମାନଙ୍କ ପାଇଁ ବଡ଼ ବଡ଼ ପ୍ରତିଶ୍ରୁତି ଦେଉଥିବା ବେଳେ ବାସ୍ତବରେ ଏହା ଏକ ସମ୍ପୂର୍ଣ୍ଣ ଚାଷୀ ବିରୋଧୀ ସରକାର ଭାବେ କାର୍ଯ୍ୟ କରୁଛି। କେନ୍ଦ୍ର ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ବର୍ଦ୍ଧିତ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ର ସଠିକ୍ ପରିଚାଳନା ନକରି ଓଡ଼ିଶାର ଚାଷୀଙ୍କ ହକର ସମୁଦାୟ ୧୩୦୮ କୋଟି ୮୮ ଲକ୍ଷ ଟଙ୍କା ଖାଇବାକୁ ଏହି ସରକାର ପ୍ରସ୍ତୁତି ଚଳାଇଛି ବୋଲି ନବନିର୍ମାଣ କୃଷକ ସଂଗଠନର ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ କୁମାର ପାଢ଼ୀ ଗୁରୁତର ଅଭିଯୋଗ ଆଣିଛନ୍ତି। ଜିଲ୍ଲା ସଂଯୋଜକ ଶ୍ରୀ ପାଢ଼ୀ ସରକାରଙ୍କ ଧାନ ସଂଗ୍ରହର ଲକ୍ଷ୍ୟଧାର୍ଯ୍ୟ ଓ ପ୍ରକୃତ ତଥ୍ୟକୁ ସୋସିଆଲ ମିଡ଼ିଆ ଏବଂ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ସାଧାରଣ ଜନତାଙ୍କ ସାମ୍ନାକୁ ଆଣି ସରକାରଙ୍କ ଚାଷୀ ମାରଣ ନୀତିକୁ ପଦାରେ ପକାଇଛନ୍ତି।

ଏହି ମହାଘୋଟାଲା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରି ଶ୍ରୀ ପାଢ଼ୀ କହିଛନ୍ତି ଯେ, ଗତ ସଂଗ୍ରହ ବର୍ଷରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଧାନର ଏମ୍.ଏସ୍.ପି. ପ୍ରତି କ୍ଵିଣ୍ଟାଲ ପିଛା ୬୯ ଟଙ୍କା ବୃଦ୍ଧି କରାଯାଇଥିଲା। ସେହି ବର୍ଷ ରାଜ୍ୟରେ ସମୁଦାୟ ୯୨୬.୫ ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲେ ହେଁ ଚାଷୀଙ୍କୁ ଏହି ବର୍ଦ୍ଧିତ ମୂଲ୍ୟର ସୁଫଳ ନଦେଇ ସରକାର ସେମାନଙ୍କ ହକ୍ ର ସମୁଦାୟ ୬୩୯ କୋଟି ୨୮ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି। ଗତବର୍ଷ ଏତେ ବଡ଼ ଦୁର୍ନୀତି କରି ମଧ୍ୟ ସରକାରଙ୍କ ମନ ଭରିନାହିଁ। ଚଳିତ ସଂଗ୍ରହ ବର୍ଷରେ ପୁଣି ପ୍ରତି କ୍ଵିଣ୍ଟାଲ ପିଛା ୭୨ ଟଙ୍କା ଏମ୍.ଏସ୍.ପି. ବୃଦ୍ଧି କରାଯାଇଥିବା ବେଳେ ରାଜ୍ୟର ୯୩୦ ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟଧାର୍ଯ୍ୟ ଅନୁଯାୟୀ ଚାଷୀଙ୍କୁ ଆହୁରି ୬୬୯ କୋଟି ୬୦ ଲକ୍ଷ ଟଙ୍କାରୁ ବଞ୍ଚିତ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଯଦି ଉଭୟ ୬୯ ଟଙ୍କା ଓ ୭୨ ଟଙ୍କା କୁ ମିଶାଇ କହିବା ଚାଷୀଙ୍କର ମୋଟ ୧୩୦୮ କୋଟି ୮୮ ଲକ୍ଷ ଟଙ୍କା ସରକାର ହଡ଼ପ କରିବାକୁ ଯୋଜନା କରିଛନ୍ତି କହି ଏହି ବଡ଼ ଧରଣର ଆର୍ଥିକ ଅନିୟମିତତାକୁ ନେଇ ପ୍ରଦ୍ୟୁମ୍ନ କୁମାର ପାଢ଼ୀ ସରକାରଙ୍କ ଉପରକୁ ତୀବ୍ର ବାଣ ମାରିଛନ୍ତି । ଚାଷୀଙ୍କ ପାଇଁ ବୋନସ ସୁନିଶ୍ଚିତ ହେଉ ନ ହେଉ ନେତା ମନ୍ତ୍ରୀ ପ୍ରଶାସନଙ୍କ ପାଇଁ ମଣ୍ଡିଲୁଟ୍ ବୋନସ ର ପୂରା ଗ୍ୟାରେଣ୍ଟି ଏହି ଡବଲ ଇଞ୍ଜିନର ବିଫଳ ସରକାରରେ ଅଛି ବୋଲି ସେ ଦୋହରାଇଛନ୍ତି।

ନବନିର୍ମାଣ କୃଷକ ସଂଗଠନ ଅଭିଯୋଗ କରିଛି ଯେ, ସରକାର ତାଙ୍କ ନିର୍ବାଚନୀ ପ୍ରଚାରରେ କେନ୍ଦ୍ର ସରକାର ଏମ୍ ଏସ ପି ବଢ଼େଇଲେ ଇନ୍ପୁଟ ରୁ କମ୍ କରିବା ନେଇ କିଛି ସ୍ପଷ୍ଟତା ଦେଇ ନଥିଲେ। ସେ ସମୟ ହିସାବରେ ୩୧୦୦ ଦେବେ ବୋଲି ବିଶ୍ୱାସ କରିକି ଚାଷୀ ମାନେ ଭୋଟ ଦେଇଥିଲେ। ହେଲେ ସରକାର ନିଜ କଥାରୁ ପଛକୁ ଘୁଞ୍ଚିଛନ୍ତି ଓ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଚାଷୀ ଙ୍କ ହକ୍ ତ ଦେଇ ପାରୁନାହାନ୍ତି ବରଂ ବିଭିନ୍ନ ସମୟରେ ଚାଷୀକୁ ଅପମାନ କରୁଛନ୍ତି ଏହା ଦୁର୍ଭାଗ୍ୟଜନକ। ଆଜି ଓଡ଼ିଶାର ମଣ୍ଡି ଗୁଡ଼ିକରେ ବ୍ୟାପକ ଅବ୍ୟବସ୍ଥା ଓ କଟନୀ-ଛଟନୀ ଚାଲିଛି। ଚାଷୀ ଦିନରାତି ଏକ କରି ଫସଲ ଅମଳ କରୁଥିବା ବେଳେ ମଣ୍ଡିରେ ଦଲାଲ, ପ୍ରଶାସନ ଓ ଶାସକ ନେତାଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ଶୋଷଣର ଶିକାର ହେଉଛି। ସରକାର ଚାଷୀଙ୍କ ପାଇଁ ବୋନସ ଘୋଷଣା କରୁନାହାନ୍ତି, କିନ୍ତୁ ଅଫିସର ଓ ମନ୍ତ୍ରୀମାନଙ୍କ ପାଇଁ ମଣ୍ଡି ଲୁଟ୍ର ଅଲିଖିତ ବୋନସ ସମ୍ପୂର୍ଣ୍ଣ ସୁନିଶ୍ଚିତ ହୋଇ ରହିଛି। ସୁବର୍ଣ୍ଣପୁର ଜିଲ୍ଲା କମିଟି ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି ଯେ ଯଦି କେନ୍ଦ୍ର ସରକାର ବଢ଼େଇଥିବା ଚାଷୀ ର ହକ୍ ର ଏମ୍ ଏସ ପି ପଇସା ଚାଷୀକୁ ଦିଆ ନଯାଏ ନବନିର୍ମାଣ କୃଷକ ସଂଗଠନ ରାଜପଥକୁ ଓହ୍ଲାଇବ ଏବଂ ଏହି ଚାଷୀ ବିରୋଧୀ ସରକାରର ଅସଲ ଚେହେରା ସବୁ ସାଧାରଣ ଜନତାଙ୍କ ସାମ୍ନାକୁ ଆଣିବ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande