
ଜୟପୁର, ୧୯ ମଇ (ହି.ସ.)-
ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ତିନୋଟି ଜିଲ୍ଲା ଯଥା କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ପେନସନ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋରାପୁଟ ଠାରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକଙ୍କ ସମେତ ଡେପୁଟି କଲେକ୍ଟର, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। କୋରାପୁଟ ଜିଲ୍ଲାର ସମସ୍ତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ, ଓଡିଶା ସରକାରଙ୍କ ନିର୍ଦେଶରେ କୋରାପୁଟ ଜିଲ୍ଲାରେ ପେନସନ ଅଦାଲତ ଅନୁଷ୍ଠିତ ହେବ। ମେ ୨୧ ରେ ସାଧାରଣ କର୍ମଚାରୀଙ୍କ ଓ ନିମନ୍ତେ ମେ ୨୨ ରେ ପୋଲିସ କର୍ମଚାରୀଙ୍କ ପାଇଁ ପୂର୍ବାହ୍ନ ୯ଟା ଠାରୁ ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ପେନସନ ସମ୍ବନ୍ଧୀୟ ଅଭିଯୋଗ ଥିବା ଅବସରପ୍ରାପ୍ତ କର୍ମଚାରୀ/ଉତ୍ତରାଧିକାରୀମାନେ ଆବଶ୍ୟକ କାଗଜପତ୍ର ସହ ଉପସ୍ଥିତ ରହି ନିଜର ଅଭିଯୋଗ ଜଣାଇ ପାରିବେ I
ହିନ୍ଦୁସ୍ଥାନ ସମାଚାର / ପିକେପି