
ପୁରୀ, ୧୯ ମଇ (ହି.ସ.)- ପୁରୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ । ଆଜି ସକାଳେ ପତ୍ନୀଙ୍କ ସହ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସିଂହଦ୍ୱାର ନିକଟରେ ପହଂଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଥିଲା । କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ପୁରୀ ସାଂସଦ ଡା. ସମ୍ବିତ ପାତ୍ର ମଧ୍ୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରିବା ସହ ପାର୍ଶ୍ୱ ଦେବାଦେବୀଙ୍କୁ ମଧ୍ୟ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରକୁ ଯିବା ସମୟରେ ବ୍ୟାରିକେଡ଼ରେ ଥିବା ଭକ୍ତମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା ସାରି ଫେରିବା ପରେ ସିଂହଦ୍ୱାର ନିକଟରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ କହିଛନ୍ତି ଯେ, ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରଣି ପଶ୍ୟନ୍ତୁ, ନକଶ୍ଚିତ ଦୁଃଖଭାବଭବେତ । ଦେଶବାସୀ ସମସ୍ତେ ଖୁସିରେ ରୁହନ୍ତୁ । ସମସ୍ତେ ନିରୋଗ ରୁହନ୍ତୁ । ସମସ୍ତଙ୍କର ମଙ୍ଗଳ ହେଉ ଏହି ପ୍ରାର୍ଥନା ଶ୍ରୀଜଗନ୍ନାଥଙ୍କ ଚରଣରେ । ଆଜି ସାରା ଦୁନିଆ ସମ୍ମୁଖରେ ଯେଉଁ ବୈଶ୍ୱିକ ସଙ୍କଟ ଉଭା ହୋଇଛି ତାହା ମଧ୍ୟ ସମାପ୍ତ ହେଉ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ବୈଭବଶାଳୀ, ଗୌରବଶାଳୀ, ସମୃଦ୍ଧ, ଶକ୍ତିଶାଳୀ, ଆତ୍ମନିର୍ଭର ଏବଂ ବିକଶିତ ଭାରତର ନିର୍ମାଣ ଚାଲିଛି । ମହାପ୍ରଭୁଙ୍କ ଚରଣରେ ଏତିକି ପ୍ରାର୍ଥନା କରିଛି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏହି ଉଦ୍ଦେଶ୍ୟ ସଫଳ ହେଉ ।
ଆହୁରି ମଧ୍ୟ ସେ କହିଥିଲେ ଯେ, ଭୌତିକତାର ଅଗ୍ନିରେ ଦଗ୍ଧ ବିଶ୍ୱ ମାନବତାକୁ ଏହି ସଂସ୍କୃତି ଭାରତୀୟ ସଂସ୍କୃତି, ସନାତନ ସଂସ୍କୃତି, ଯାହା ଶାସ୍ୱତ, ଶାନ୍ତି ପଥର ଦିଗଦର୍ଶନ କରାଉ ଶ୍ରୀଜଗନ୍ନାଥଙ୍କ ଚରଣରେ ଏତିକି ପ୍ରାର୍ଥନା । ବିଶ୍ୱରେ ଶାନ୍ତି ବିରାଜମାନ କରୁ । ଭାରତର ଜନତା ଖୁସିରେ ରୁହନ୍ତୁ । ଆଜି ଆମର ରିଜିଓନାଲ କନଫରେନ୍ସ କୃଷିର । ୫ ରାଜ୍ୟ ଯଥା ଓଡ଼ିଶା, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର କୃଷି ମନ୍ତ୍ରୀଗଣ, କୃଷି ସମ୍ବନ୍ଧିତ ବରିଷ୍ଠ ଅଧିକାରୀଗଣ ଭୁବନେଶ୍ୱରରେ ଆୟୋଜିତ ଏହି ବୈଠକରେ ଯୋଗଦେବେ । ଆମର ଲକ୍ଷ୍ୟ ଭାରତର ୧୪୦ କୋଟି ଜନତାଙ୍କ ପାଇଁ କେବେହେଲେ ଖାଦ୍ୟ ଯେପରି କମ୍ ନହେବ । ଖାଦ୍ୟ ଭଣ୍ଡାରକୁ ଭରପୁର୍ ରଖନ୍ତୁ ମହାପ୍ରଭୁ । କୃଷକ ଅନ୍ନଦାତା ନୁହେଁ ଜୀବନଦାତା । ତାକୁ କିପରି ଖୁସି କରିବୁ । ତା’ର ଆୟ କିପରି ବୃଦ୍ଧି କରିବୁ । ତା’ର ଜୀବିକା କିପରି ଆହୁରି ଭଲ ହୋଇପାରିବ ସେନେଇ ପ୍ରଯତ୍ନ କରିବୁ । ଖାଦ୍ୟ ସୁରକ୍ଷା ସହିତ ପୋଷଣଯୁକ୍ତ ଆହାର ଜନତାଙ୍କୁ ମିଳୁ । ଏଥିରେ ଆମେ ଯେପରି ସଫଳ ହୋଇପାରିବୁ । ଏଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିଛି । ଏହି ଯୋଜନା ଗୁଡିକୁ କିପରି ଆମେ ସଠିକ୍ ଭାବରେ ତୃଣମୂଳ ସ୍ତରରେ କ୍ରିୟାନ୍ୱିତ କରିବୁ ସେ ଉପରେ ଆଜି ଆମେ ଆଲୋଚନା କରିବୁ । ଚାଉଳ ଓ ଗହମର ଭଣ୍ଡାର ଭରି ରହୁ । କ୍ଷୁଦ୍ର ଚାଷୀ ସେମାନଙ୍କ କ୍ଷେତକୁ ଇଂଟିଗ୍ରେଟେଡ୍ ଫାର୍ମିଙ୍ଗ ମାଧ୍ୟମରେ ଆହୁରି ଅଧିକ କିପରି ଲାଭକାରୀ କରିପାରିବ ସେନେଇ ବୈଠକରେ ଆଲୋଚନା କରାଯିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ