
ଭୁବନେଶ୍ୱର, 19 ମଇ (ହି.ସ.) ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେଉଥିବା କ୍ଷେତ୍ରୀୟ କୃଷି ସମ୍ମିଳନୀରେ ଯୋଗଦେବା ପାଇଁ ଓଡ଼ିଶା ଆସିଥିବା କେନ୍ଦ୍ରୀୟ କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଙ୍ଗଳବାର ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ।
ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପରେ ସେ କହିଥିଲେ ଯେ ମହାପ୍ରଭୁ ଜଗନ୍ନାଥଙ୍କ କୃପା ସମସ୍ତଙ୍କ ଉପରେ ନିରନ୍ତର ବର୍ଷିତ ହେଉ। ପ୍ରତ୍ୟେକ ଘର ଧନ-ଧାନ୍ୟରେ ପରିପୂର୍ଣ୍ଣ ହେଉ ଏବଂ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧି ଓ ଆନନ୍ଦରେ ଭରିଯାଉ ବୋଲି ମୁଁ ପ୍ରାର୍ଥନା କରିଛି।
ସେ ଆହୁରି କହିଥିଲେ ଯେ, ମୁଁ ସମସ୍ତଙ୍କ ସୁଖ, ସମୃଦ୍ଧି, ସ୍ୱାସ୍ଥ୍ୟ ଓ କଲ୍ୟାଣ କାମନା କରିବା ସହ ବିଶ୍ୱରେ ଚାଲିଥିବା ସଂଘର୍ଷର ସମାପ୍ତି ପାଇଁ ମଧ୍ୟ ପ୍ରାର୍ଥନା କରିଛି। ଓଡ଼ିଶା, ଛତିଶଗଡ଼, ବିହାର, ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗକୁ ନେଇ ଏକ ଆଞ୍ଚଳିକ କୃଷି ସମ୍ମିଳନୀ ଆୟୋଜିତ ହେଉଛି। ଏଥିରେ ଖାଦ୍ୟ ସୁରକ୍ଷା, ଚାଷୀଙ୍କ ଆୟ ବୃଦ୍ଧି ଏବଂ ଜନକଲ୍ୟାଣମୂଳକ ଯୋଜନାଗୁଡ଼ିକର କାର୍ଯ୍ୟକରୀ ରୂପାୟଣ ଉପରେ ଆଲୋଚନା କରାଯିବ। ଏହା ସହ ଡାଲି ଓ ତୈଳବୀଜ ଉତ୍ପାଦନ ବୃଦ୍ଧି ସହ ଏକୀକୃତ ଚାଷ ପ୍ରଣାଳୀ ମାଧ୍ୟମରେ କ୍ଷୁଦ୍ର ଚାଷୀଙ୍କ ଚାଷକୁ ଅଧିକ ଲାଭଜନକ କରିବା ଉପରେ ମଧ୍ୟ ଚର୍ଚ୍ଚା ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ